ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା, ଓଟିଭି ପ୍ରତିନିଧି ଅରିନ୍ଦମ ମୃତ

କଟକ: ମୁଣ୍ଡଳି ବୋଟ୍ ଟ୍ରାଜେଡିରେ ଓଟିଭି ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ । ମୁଣ୍ଡଳିରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟରେ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନାଙ୍କ ସହ ଓଡ୍ରାଫ ବୋଟରେ ଯାଇଥିଲେ ଅରିନ୍ଦମ । ନଦୀ ମଝିରେ ଫସିଥିବା ହାତୀ ପାଖକୁ ଯାଇଥିଲା ଓଡ୍ରାଫ ଟିମ୍ । ହେଲେ ପ୍ରବଳ ସ୍ରୋତ ମୁହଁରେ ଦୁର୍ଭାଗ୍ୟବଶତଃ ବୋଟ ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଅରିନ୍ଦମ ସ୍ରୋତ ମୁହଁରେ ଖସି ପଡିଥିଲେ । ଅରିନ୍ଦମଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଲିଭିଯାଇଥିଲା ଜୀବନ ଦୀପ ।

 Operation Gajaraj OTV Reporter Arindam Das Dies In SCB

 ଅରିନ୍ଦମ ଦାସ । ଓଟିଭିର ବରିଷ୍ଠ ସାମ୍ବାଦିକ । ନିତିଦିନିଆ ଘଟଣା ଅଘଟଣର ଭିଡ ଭିତରେ ଆଜି ସକାଳୁ ହଠାତ ଖବର ଆସିଥିଲା ଭରା ମହାନଦୀରେ ଏକ ଫସିରହିଛି ଏକ ଦନ୍ତା । ସବୁ ଗଣମାଧ୍ୟମ ପ୍ରତିନିଧି ମୁହାଁଇଥିଲେ ମୁଣ୍ଡଳି ବ୍ରିଜ । ଅରିନ୍ଦମ ବି ନିଜର କ୍ୟାମେରା ଟିମ୍ ସହ ପହଞ୍ଚିଥିଲେ ଘଟଣାସ୍ଥଳ । ସବୁ ଗଣମାଧ୍ୟମ ପ୍ରତିନିଧି ବ୍ରିଜ ଉପରୁ ରିପୋର୍ଟିଂ କରୁଥିଲା ବେଳେ, ଓଡ୍ରାଫ ଟିମ୍ ସହ ହାତୀ ପାଖକୁ ବାହାରିଥିଲେ ଅରିନ୍ଦମ । ସାଙ୍ଗରେ ଥିଲେ ଓଡ୍ରାଫ ଟିମ ଓ କ୍ୟାମେରା ମ୍ୟାନ । ହେଲେ ହାତୀ ପାଖକୁ ଯିବା ବେଳେ ମହାନଦୀର ପ୍ରଖର ସ୍ରୋତ ସହ ସାମନା ହୋଇଥିଲା ଓଡ୍ରାଫ ସ୍ପିଡ ବୋଟର । ଆଉ ରେସକ୍ୟୁ ଅପରେସନ ଆରମ୍ଭ ହେଉ ସବୁ ହୋଇଗଲା ଓଲଟ ପାଲଟ । ଲକ୍ଷ ଲକ୍ଷ କ୍ୟୁସେକ ଜଳର କରେଣ୍ଟ ଆଗରେ ଓଲଟି ପଡିଥିଲା ଓଡ୍ରାଫ ବୋଟ୍ । ସ୍ରୋତ ମୁହଁ ସଂଘର୍ଷ କରୁ କରୁ ଓଡ୍ରାଫ ଟିମର ସଦସ୍ୟ ସୀତାରାମ ମୁର୍ମୁ ହୋଇଯାଇଛନ୍ତି ନିଖୋଜ । ଦେଶୀ ଡଙ୍ଗା ସାହାଯ୍ୟରେ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିଲା । କଟକ ଏସସିବିରେ ଅରିନ୍ଦମଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେପଟେ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ।

 Operation Gajaraj OTV Reporter Arindam Das Dies In SCB

ବନ୍ୟା ହେଉ ଅବା ବାତ୍ୟା । କିମ୍ବା ବଡ଼ ବଡ଼ ଅଘଟଣ । ଟିଭି ସ୍କ୍ରିନରେ ଅରିନ୍ଦମଙ୍କ ଦୁଃସାହାସିକ ରିପୋର୍ଟିଂ ଦେଖିବାକୁ ମିଳୁଥିଲା । ସାମ୍ବାଦିକତାକୁ ପେଶା ଓ ନିଶା ବୋଲି ମାନୁଥିବା ଅରିନ୍ଦମ ସଦାବେଳେ ନିଆରା ଅନ୍ଦାଜରେ ଦର୍ଶକଙ୍କ ପାଖରେ ପହଞ୍ଚାଉଥିଲେ ଖବର । ଆଜି ବି ସ୍ରୋତ ମୁହଁରେ ଜୀବନକୁ ବାଜି ଲଗାଇ ବାହାରିଥିଲେ କିଛି ଏକ୍ସକ୍ଲୁସିଭ ଭିଜୁଆଲର ସନ୍ଧାନରେ, ହେଲେ ନିୟତିର ନିୟମ ଥିଲା ଅଲଗା । ଖବର ସଂଗ୍ରହ କରୁ କରୁ ନିଜେ ପାଲଟି ଯାଇଥିଲେ ଖବର ।

ଏଥିସହିତ ପଢ଼ନ୍ତୁ: ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ 

ଢେଙ୍କାନାଳ ଆଇଆଇଏମସିରୁ ସାମ୍ବାଦିକତା କୋର୍ସ ସାରିବା ପରେ ସାମ୍ବାଦିକ ବୃତ୍ତିକୁ ଆଦରି ନେଇଥିଲେ ଅରିନ୍ଦମ । ଏକ ଦୈନିକ ଖବର କାଗଜରୁ କ୍ୟାରିଅର ଆରମ୍ଭ କରି ପରେ ବୈଦ୍ୟୁତିକ ଗଣମାଧ୍ୟମରେ ପାଦ ଥାପିଥିଲେ । ପ୍ରଥମେ କ୍ରାଇମ ରିପୋର୍ଟିଂରୁ ଡିଜାଷ୍ଟର, ଗ୍ରାଉଣ୍ଡଜିରୋର ସବୁ ଖବର ପରିବେଷଣରେ ଥିଲେ ମାହିର । ବୃତ୍ତିଗତ ଜୀବନରେ ଅରିନ୍ଦମଙ୍କ ଅଦମ୍ୟ ସାହାସ ତାଙ୍କୁ ସାମ୍ବାଦିକ ଦୁନିଆଁର ଜଣେ ଚିହ୍ନାମୁହଁ ଭାବେ ଅଭିହିତ କରିଥିଲା । ଆଜି ଅରିନ୍ଦମଙ୍କ ଅବର୍ତ୍ତମାନରେ ସ୍ତବ୍ଧ ହୋଇଯାଇଛି ଗଣମାଧ୍ୟମ ଓ ତାଙ୍କୁ ଭଲ ପାଉଥିବା ସବୁ ମଣିଷ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ସବୁ ମହଲରୁ ତାଙ୍କ ଆତ୍ମାର ସଦଗତି କାମନା କରାଯିବା ସହ ପରିବାରକୁ ଜଣାଇଛନ୍ତି ସମବେଦନା ।

Leave a Reply