ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ନିରଞ୍ଜନଙ୍କ ନୂଆ ଟିମ୍‌, ୟଙ୍ଗ ବ୍ରିଗେଡ୍‌ଙ୍କୁ ମିଳିପାରେ ସୁଯୋଗ

1 min read

ଭୁବନେଶ୍ୱର: ଜାତୀୟ କଂଗ୍ରେସକୁ ସତେ ଯେମିତି ଶନି ଦଶା ପଡ଼ିଛି । ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କନ୍ଦଳ ଦଳକୁ ରସା ତଳକୁ ଟାଣି ନେଉଛି । ସେପଟେ ଏଆଇସିସିରେ ନେତୃତ୍ୱ ପରିବର୍ତ୍ତନ ନେଇ ଦାବି ହେଉଥିବା ବେଳେ ପୁଣି ସୋନିଆ ମଙ୍ଗ ଧରିବେ ବୋଲି କୁହାଯାଉଛି । ଓଡ଼ିଶାରେ ମଧ୍ୟ କଂଗ୍ରେସର ସ୍ଥିତି ଶୋଚନୀୟ । ରାଜ୍ୟରେ ମଧ୍ୟ କଂଗ୍ରେସ ମଙ୍ଗୁଆଳ ପରିବର୍ତ୍ତନ ପାଇଁ ଦାବି ହେଉଛି । ହେଲେ ପିସିସି ମୁଖିଆ ଏବେ ବଦଳିବାର ସମୟ ଆସିନି ବୋଲି କହିଛି ଏଆଇସିସି ।

ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଖୁବ୍‌ଶୀଘ୍ର ତାଙ୍କ ନୂଆ ଟିମ୍ ଗଠନ କରିବେ ବୋଲି ସୂଚନା ମିଳିଛି । ମଧ୍ୟମ ଧରଣର ଟିମ୍ କରିବାକୁ ଏଆଇସିସିକୁ ସେ ତାଲିକା ପଠାଇଛନ୍ତି । ପ୍ରଥମେ ଜିଲ୍ଲା ସଭାପତି ଚୟନ କରାଯିବ । ପରେ ବ୍ଲକ ସଭାପତିଙ୍କୁ ଜିଲ୍ଲା ସଭାପତି ବାଛିବେ । ଏହାପରେ ପିସିସି ଟିମ୍ ଗଠନ କରାଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଟିମ୍ ଗଠନ ହୋଇନଥିବାରୁ ଦଳରେ ଅସନ୍ତୋଷ ରହିଛି । ଫେବ୍ରୁଆରୀରୁ ଟିମ୍ ତାଲିକା ଏଆଇସିସିକୁ ପଠାଯାଇଛି । ଅଗଷ୍ଟ ୧୫ ପରେ ଟିମ୍ ଘୋଷଣା କରାଯିବ ବୋଲି କୁହାଯାଇଥିଲା । ତେଣୁ ଏହାରି ଭିତରେ ଟିମ୍ ଗଠନ ହୋଇଯାଇପାରେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଅନ୍ୟପଟେ ଜାତୀୟ କଂଗ୍ରେସରେ ପୁଣି କମାଣ ସମ୍ଭାଳିବେ ସୋନିଆ ଗାନ୍ଧି । ନେତୃତ୍ୱ ପରିବର୍ତ୍ତନ ନେଇ ସୋମବାର ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଆଗାମୀ ବର୍ଷେ ପର୍ଯ୍ୟନ୍ତ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବେ । ସିଡବ୍ଲୁସି ବୈଠକରେ ଦଳର ନେତୃତ୍ୱକୁ ନେଇ ଖୋଲାଖୋଲି ଆଲୋଚନା ହୋଇଥିଲା । ବୈଠକରେ ସୋନିଆ କହିଥିଲେ- ସେ ଆଗକୁ ଦଳର ଅଧ୍ୟକ୍ଷ ରହିବାକୁ ଚାହୁଁନାହାଁନ୍ତି । ତେବେ, କେତେକ ନେତା ତାଙ୍କୁ ପଦରେ ରହିବାକୁ ଅନୁରୋଧ କରିଥିଲେ ।

ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତପା ଦେବା ପାଇଁ କଂଗ୍ରେସ ୱାର୍କିଂ କମିଟି ବୈଠକରେ ସୋନିଆ କହିଥିଲେ । ଏହା ସହ ସେ ଦଳର ନୂତନ ଅଧ୍ୟକ୍ଷ ବାଛିବା ପାଇଁ କହିଥିଲେ । ତେବେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏକେ ଆଣ୍ଟୋନି ସମେତ କିଛି ନେତା ସୋନିଆଙ୍କୁ ପଦରେ ରହିବାକୁ ଅପିଲ୍ କରିଥିଲେ ।

https://www.facebook.com/NandighoshaTV/videos/340851720370688/

କାହିଁକି ବସିଥିଲା ବୈଠକ

ସୋନିଆଙ୍କୁ ପ୍ରାୟ ୨ ସପ୍ତାହ ପୂର୍ବରୁ ଲେଖାଯାଇଥିବା ଏକ ଚିଠିର ପ୍ରତିକ୍ରିୟା ନେଇ ଏହି ସିଡବ୍ଲୁସି ବୈଠକ ଡକାଯାଇଥିଲା । ପ୍ରାୟ ୨୩ ଜଣ ନେତା ଯେଉଁମାନେ ସିଡବ୍ଲୁସିର ସଦସ୍ୟ ଓ ୟୁପିଏ ସରକାରେ ମନ୍ତ୍ରୀ ଥିବା ନେତା ଓ ସାଂସଦ ସୋନିଆ ଗାନ୍ଧିଙ୍କୁ ସଂଗଠନ ପ୍ରସଙ୍ଗରେ ଚିଠି ଲେଖିଥିଲେ । ଚିଠିରେ ଦୃଢ଼ କେନ୍ଦ୍ରୀୟ ନେତୃତ୍ୱ ସହ ଦଳ ଚଳାଇବା ପାଇଁ ସଠିକ୍ ରଣନୀତି ଉପରେ ଜୋର୍ ଦିଆଯାଇଥିଲା । କୁହାଯାଇଥିଲା- ନେତୃତ୍ୱ ଏଭଳି ହେବା ଦରକାର ଯିଏ ସକ୍ରିୟ ଓ ଲୋକଙ୍କ ସହ କାମ କରୁଥିବା ଦେଖାଯିବା ଦରକାର ।

Leave a Reply