ବିନା କ୍ୟାବିନେଟ୍ ବୈଠକରେ ଆଇନ ପ୍ରଣୟନ ଓ ଉଚ୍ଛେଦ କେବଳ ବିଜେପି ସରକାରରେ ସମ୍ଭବ: ଚିଦାମ୍ୱରମ୍

ନୂଆଦିଲ୍ଲୀ: ତିନି କୃଷକ ଆଇନ ପ୍ରତ୍ୟାହାର ନେଇ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ୍ । କହିଛନ୍ତି, ବିଜେପି ସରକାର ଅଧିନରେ ହିଁ ଆଇନ ପ୍ରଣୟନ ଏବଂ ଭଙ୍ଗ ବିନା କୌଣସି କ୍ୟାବିନେଟ୍ ମଞ୍ଜୁରୀରେ ହୋଇଥାଏ । ପ୍ରଧାନମନ୍ତ୍ରୀ ବିନା କୌଣସି କ୍ୟାବିନେଟ୍ ମଞ୍ଜୁରୀରେ ତିନି କୃଷକ ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । କୃଷି ଆଇନ ଉଚ୍ଛେଦ ନେଇ ଘୋଷଣାର ଦିନକ ପରେ ଏହି ବୟାନ ରଖିଛନ୍ତି ପି. ଚିଦାମ୍ୱରମ୍ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଆଇନ ପ୍ରତ୍ୟାହାର ଘୋଷଣା ଚାଷୀମାନଙ୍କ ପ୍ରତି ଥିବା ଦରଦୀ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି । ଯାହାକୁ କଟାକ୍ଷ କରିଛନ୍ତି ଚିଦାମ୍ୱରମ୍ । କହିଛନ୍ତି, କେଉଁଠି ଥିଲେ ଏଭଳି ନେତା, ୧୫ ମାସ ହେଲେ କ’ଣ କୃଷକଙ୍କ ସ୍ୱାର୍ଥ କଥା ବୁଝିପାରୁନଥିଲେ ବୋଲି ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଚିଦାମ୍ୱରମ୍ । ଏଥିସହିତ ବିନା କୌଣସି କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ଆପଣ ଲକ୍ଷ୍ୟ କରିଛନ୍ତି କି ନାହିଁ ବୋଲି ସେ ପଚାରିଛନ୍ତି ।

ବିନା କୌଣସି କ୍ୟାବିନେଟ୍ ବୈଠକରେ ଆଇନ ପ୍ରଣୟନ ଓ ଉଚ୍ଛେଦ କେବଳ ବିଜେପି ସରକାରରେ ସମ୍ଭବ ବୋଲି କହିଛନ୍ତି ଚିଦାମ୍ୱରମ୍ । ଗତ ନଭେମ୍ୱରରୁ ଏହି ଆଇନ ବିରୋଧରେ କୃଷକ ସଂଗଠନମାନେ ଆନ୍ଦୋଳନ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ୧୧ଥର ଆଲୋଚନା ହୋଇଥିଲା । ସରକାରଙ୍କ ପକ୍ଷରୁ ଏହା ଚାଷୀ ହିତକାରୀ ବୋଲି କହୁଥିବା ବେଳେ ସରକାର ଚାଷୀଙ୍କୁ କର୍ପୋରେଟ୍ ହାଉସଙ୍କ ଭରସାରେ ଛାଡ଼ିଦେଉଥିବା କହିଥିଲେ ଆନ୍ଦୋଳନକାରୀ ।

ଏଥିସହିତ ପଢ଼ନ୍ତୁ: ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବୈଠକ ଡାକିଲେ ଗେହଲଟ୍‌: ପ୍ରାଥମିକାତାରେ ରହିବେ ପାଇଲଟ୍‌ କ୍ୟାମ୍ପର ନେତା!

Leave a Reply