ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି ଅନଲାଇନ ଗେମିଂ ବିଲ୍
1 min read
ନନ୍ଦିଘୋଷ ବ୍ୟୁରୋ ; ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି ଅନଲାଇନ ଗେମିଂ ବିଲ୍। ଫଳରେ ଡ୍ରିମ 11, ଗେମସ 24X7 ଓ ମୋବାଇଲ ପ୍ରିମିୟର ଲିଗ୍, ନଜାରା ଟେକନୋଲୋଜିସ ଲିମିଟେଡ ଦ୍ବାରା ପରିଚାଳିତ ୩.୮ ବିଲିୟନ ଡଲାରର ଗେମିଂ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅଗଷ୍ଟ ୨୦ରେ ଲୋକସଭାରେ ଓ ୨୧ରେ ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ସମ୍ମତି ମିଳିଲେ ତାହା ଆଇନରେ ପରିଣତ ହେବ। ଏହି ବିଲ୍ ଯୋଗୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଗାଇଡଲାଇନ ପ୍ରସ୍ତୁତ କରିବ ଏବଂ ଦେଶରେ ଇ-ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରିବା ଲାଗି ଗାଇଡଲାଇନ ପ୍ରସ୍ତୁତ କରିବ। ଏହା ସହ ବୃହତ କ୍ରୀଡ଼ା ନୀତି ବି ପ୍ରସ୍ତୁତ ହେବ। ନୂଆ ନିୟମ ବଳରେ ଅନଲାଇନ ସୋସିଆଲ ଗେମକୁ ସରକାର ସ୍ବୀକୃତି ଦେବା ସହ ଏହାର ଶ୍ରେଣୀ ବିଭକ୍ତ ଓ ପଞ୍ଜିକରଣ କରାଯିବ। ନିରାପଦ, ବୟସ ଅନୁସାରେ ସାମାଜିକଓ ଶିକ୍ଷାଭିତ୍ତିକ ଗେମ୍ ଲାଗି ବ୍ୟବସ୍ଥା କରାଯିବ। ଭାରତୀୟ ମୂଲ୍ୟବୋଧ ସମ୍ପର୍କିତ ସାଂସ୍କୃତିକ ଓ ଶିକ୍ଷାଭିତ୍ତିକ ଗେମର ପ୍ରସାରଣ କରାଯିବ। ଅନଲାଇନ ଗେମିଂ ବିଲରେ ଅଫରିଂ, ଅପରେଟିଂ ବା ମନି ଗେମକୁ ନିଷିଦ୍ଧ କରାଯାଇଛି। ମିଡିଆର କୌଣସି ପ୍ଲାଟଫର୍ମରେ ଅନଲାଇନ ଗେମିଂର ବିଜ୍ଞାପନ ଓ ପ୍ରମୋସନ କରାଯାଇପାରିବ ନାହିଁ। ଟଙ୍କା କାରବାର କ୍ଷେତ୍ରରେ ବ୍ୟାଙ୍କ ଓ ପେମେଣ୍ଟ ସିଷ୍ଟମ ଜରିଆରେ ଅର୍ଥ ନେଣଦେଣ ନିଷିଦ୍ଧ କରାଯାଇଛି। ଆଇଟି ଆଇନ ୨୦୦୦ ଅନୁସାରେ ଅନଲାଇନ ଗେମଗୁଡ଼ିକୁ ବ୍ଲକ କରାଯିବ। ବିଲ୍ ଅନୁସାରେ ଦେଶରେ ଅନଲାଇନ ଗେମିଂ ଅଥରିଟି ଗଠନ କରାଯିବ। ବିଲର ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଂଘନ ହେଲେ ୩ ବର୍ଷ ଜେଲଦଣ୍ଡ କିମ୍ବା ୧କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ଅନଲାଇନ ଗେମର ବିଜ୍ଞାପନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ଜରିମାନା କିମ୍ବା ୨ ବର୍ଷ ଯାଏ ଜେଲଦଣ୍ଡ ମିଳିବ। ଯଦି କୌଣସି ଆର୍ଥିକ କାରବାର ହୁଏ ତେବେ ୩ ବର୍ଷ ଯାଏ ଜେଲ କିମ୍ବା ୧ କୋଟି ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ଦଣ୍ଡ ପରେ ଯଦି ପୁନର୍ବାର ଅପରାଧ ଘଟାଯାଏ ତେବେ ୩ରୁ ୫ ବର୍ଷ ଜେଲଦଣ୍ଡ ଓ ୨ କୋଟି ଟଙ୍କା ଯାଏ ଜରିମାନା ବ୍ୟବସ୍ଥା ରହିଛି।