ଅନ୍‌ଲାଇନରେ ପାଠ ପଢ଼ା: କାଁଭାଁ ଗୋଟିଏ ସିଗନାଲ୍ ଆସିଲେ ‘ବୁଡ଼ି ଗଲା ଲୋକଙ୍କୁ ସୂତାଖିଅ ଭରାସା’ ଭଳି ଲାଗୁଛି

1 min read

ରାୟଗଡ଼ା: କରୋନା କଟକଣା ଭିତରେ ଶିକ୍ଷାଦାନକୁ ଆଗକୁ ନେବାକୁ ପ୍ରସ୍ତୁତ ହେଉଛି ଅନଲାଇନ୍ ରଣନୀତି । ହେଲେ ରାଜ୍ୟର କିଛି ଉପାନ୍ତ ଅଞ୍ଚଳର ପିଲାଙ୍କ ପାଇଁ ଏହା ଯେମିତି ସ୍ୱପ୍ନ । ପାହାଡ଼ିଆ ଜଙ୍ଗଲରେ ମୋବାଇଲ୍ ଟାଓ୍ୱାର ନଥିବାରୁ ଅନେକ ଛାତ୍ରଛାତ୍ରୀ ମୋବାଇଲ୍ ଥାଇ ମଧ୍ୟ ଅନଲାଇନ୍ ପାଠ ପଢାରୁ ବଞ୍ଚିତ ହେଉଛନ୍ତି  । ମୋବାଇଲ୍ ନେଟୱର୍କ ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡ଼ୁଛି ତ ଆଉ କେଉଁଠି ପାହାଡ଼ ଚଢିବାକୁ ପଢୁଛି ।

ଉପାନ୍ତରେ ଅପହଞ୍ଚ ଅନଲାଇନ୍ ଶିକ୍ଷା । ମୋବାଇଲ୍ ଅଛି ହେଲେ ନେଟୱର୍କ ନାହିଁ । ପାଠ ପଢିବା ପାଇଁ ପାହାଡ଼ ଚଢୁଛନ୍ତି ଛାତ୍ରଛାତ୍ରୀ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନଲାଇନ ପାଠପଢ଼ାର ଏ ହେଉଛି ବାସ୍ତବତା । ଏଭଳି ସ୍ଥିତିରେ ପିଲା ପାଠ ପଢିବେ ଆଗକୁ ବଢିବେ । ତେଣୁ ଅଭାବ ସତ୍ୱେ ପିଲାଙ୍କ ପାଇଁ ବାପାମାଆ କିଣି ଦେଇଛନ୍ତି ମୋବାଇଲ୍ । ହେଲେ ଗାଁରେ ନାହିଁ ମୋବାଇଲ୍ ଟାୱାର୍ ।  ତେଣୁ ଜଙ୍ଗଲ ଡେଇଁ, ପାହାଡ଼ ଚଢି ପିଲାଙ୍କୁ ଖୋଜିବାକୁ ପଡୁଛି ମୋବାଇଲ୍ ନେଟଓ୍ୱର୍କ । କାଁଭାଁ ଗୋଟିଏ ସିଗନାଲ୍ ଆସିଲେ ‘ବୁଡ଼ି ଗଲା ଲୋକଙ୍କୁ ସୂତାଖିଅ ଭରାସା’ ଭଳି । ଏ ହେଉଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ କନ୍ଧଖୀଲମ୍ ଅଞ୍ଚଳର ଦୃଶ୍ୟ । ଅନ୍-ଲାଇନ୍ ପାଠପଢା ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ କ୍ଲାସରୁ ବଞ୍ଚିତ ଏଠାକାର ଛାତ୍ରଛାତ୍ରୀ ।

କୋରାପୁଟ ଜିଲ୍ଲାର ପ୍ରାୟ ୭୦ପ୍ରତିଶତ ଛାତ୍ରଛାତ୍ରୀ ଗ୍ରାମାଞ୍ଚଳରେ । କରୋନା କଟକଣା ପାଇଁ ଆରମ୍ଭ ହୋଇଥିବା ଏହି ଶିକ୍ଷା ବ୍ୟବସ୍ଥା ଏମାନଙ୍କ ପାଇଁ ଏବେ ଯେମିତି ଉପହାସ ପାଲଟିଛି । ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥା ପାଇଁ ବୁଦ୍ଦିଜୀବୀ ଦାବି କରିଛନ୍ତି । କେମିତି ପଢିବେ ଏ ଅନ୍ଧାରୀ ମୂଲକର ପିଲା । ଅନ୍ଲାଇନ୍ ବ୍ୟତୀତ କଟକଣା ଭିତରେ ସରକାର କରିବେ କି ଏମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ।

(ଜୟପୁରରୁ ହୃଷୀକେଶ ମିଶ୍ର) 

Leave a Reply