ଆପଣ ଅନଲାଇନ ଗେମ ଖେଳୁଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ
ଭୁବନେଶ୍ବର : ଆପଣ ଅନଲାଇନ ଗେମ ଖେଳୁଛନ୍ତି କି ? ୨୪ ଘଣ୍ଟା ଫୋନ ଧରି ବସୁଛନ୍ତି କି ? ତେବେ ଆଜିଠାରୁ ହୋଇଯାନ୍ତୁ ସାବଧାନ । ମଜା ବଦଳରେ ମିଳିପାରେ ସାଙ୍ଘାତିକ ସଜ୍ଜା । ଭୁବନେଶ୍ୱର ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଭଡା ଘରେ ଚାଲିଥିବା ଗେମିଙ୍ଗ ଆପ୍ କଲ୍ ସେଣ୍ଟର ପ୍ରସଙ୍ଗରେ ଅଟକ ଥିବା ଚାରିଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସମସ୍ତେ ରାଜ୍ୟ ବାହାରୁ ଆସି ଭୁବନେଶ୍ୱରରେ ଡେରା ପକାଇଥିଲେ । ସହର ଉପକଣ୍ଠରେ ଥିବା ଆପାର୍ଟମେଣ୍ଟକୁ ସେଫ ପ୍ଲେସ ଭାବେ ବାଛିଥିଲେ । ସାଇବର ଠକଙ୍କ ମାଷ୍ଟରମାଇଣ୍ଡ ଥିଲା ଜଣେ ବିଟେକ୍ ଛାତ୍ର । ଭଲକରି ଦେଖନ୍ତୁ ଏହି ଆପାର୍ଟମେଣ୍ଟରେ ଗଛିତ ଥିବା ଏହି ମୋବାଇଲ ଗୁଡିକୁ । କେବଳ ସେତିକି ନୁହେଁ, ଚଢାଉ ବେଳେ ୨ ଟି ଡେସ୍କଟପ ସହ ଗୋଟେ ଲାପଟପ, ୨୦ ଟି ମୋବାଇଲ ଫୋନ୍, ୪ ପାସପୋର୍ଟ ସହ ପୁଳାପୁଳା ସିମ କାର୍ଡ ଜବତ କରିଛି ପୋଲିସ । ଦୀର୍ଘ ୬ ମାସ ହେଲା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଚାଲିଥିଲା ଏହି ଅପରାଧୀଙ୍କ ସାଇବର କ୍ରାଇମ୍ ସିଣ୍ଡିକେଟ । ସାଇବର ଠକଙ୍କ ଲିଙ୍କ ଦୁବାଇକୁ ଜଣାପଡିବା ପରେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ସ୍ପେଶାଲ ଟିମ ।
କେବଳ ଗେମିଙ୍ଗ ଆପ ନୁହଁ, ବିଭିନ୍ନ ଆଳରେ ଟଙ୍କା ଲୁଟି ନେଉଛନ୍ତି ଠକ। ବିଧାନସଭା ତଥ୍ୟ ମୁତାବକ ୩ ବର୍ଷରେ ୧୨୫ କୋଟି ଓଡିଶାରୁ ଲୁଟିନେଲେଣି ଲୁଟେରା । ୬ ହଜାର ୩୬୮ ଟି ମାମଲା ବଳରେ ୧୩୮୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ସାଇବର କ୍ରାଇମ କୋଡିନେସନ ସେଣ୍ଟର ତଥ୍ୟ ମୁତାବକ ୨୦୨୪ ମସିହା ଜାନୁଆରୀ ୧ ରୁ ସେପ୍ଟେମ୍ବର ଶେଷ ସୁଦ୍ଧା ସାରା ଦେଶରୁ ୧୧ ହଜାର ୩ ଶହ ୩୩ କୋଟି ଟଙ୍କା ହରାଇଛନ୍ତି ଲୋକେ। ଷ୍ଟକ ଟ୍ରେଡିଂ ରେ ସର୍ବାଧିକ ୪ ହଜାର ୬୩୬ କୋଟି ଟଙ୍କା ଗୋଲ କରିଦେଇଛନ୍ତି ଅଦୃଶ୍ୟ ଠକ । ଫିଜିକାଲ କ୍ରାଇମ ଠାରୁ ଏବେ ସାଇବର କ୍ରାଇମ ବଢୁଛି । ଏଣୁ ଇଜି ମନି ପାଇବା ଆଶାରେ ଭୁଲ ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ସେପଟେ ଗେମିଙ୍ଗ ଜରିଆରେ ଠକେଇ ଘଟଣାରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତନାଘନା କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।