ୟାକୁ ହିଁ କହନ୍ତି ରାଜନୀତି; ପିଆଜ ଲୁହରେ ସେକା ହେଉଛି ରୁଟି

1 min read

ଭୁବନେଶ୍ୱର: ପିଆଜ, ପ୍ରାଇସ୍ ଓ ପଲିଟିକ୍ସ । ପିଆଜ ଦର ବୃଦ୍ଧି ବିଲକୁଲ ନୂଆ ନୁହେଁ । ଏହା ସତ, ଶହେ ଟଙ୍କା ଦେଇ ପିଆଜ କିଣିବାକୁ ଭାରି ବାଧୁଛି, କିନ୍ତୁ ତାକୁ ନେଇ ରାଜନୀତି ଦେଖି ଆହୁରି ବାଧୁଛି । ପିଆଜ ଦର ଆଗରୁ ବି ଏମିତି ସେଞ୍ଚୁରୀ ମାରୁଥିଲା । ଆଜି ବି ମାରିଛି । ପିଆଜ ଦରର ଏପରି ହଟଚମଟ ଭିତରେ କଂଗ୍ରେସ ଓଡ଼ିଆ ଲୋକଙ୍କୁ ତାତ୍ସଲ୍ୟ କରିଛି ।

ରାଜ୍ୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଲୋକଙ୍କୁ ପିଆଜ କେଜି ପିଛା ୪୦ ଟଙ୍କାରେ ବିକା ଯାଇଛି । ପବ୍ଲିସିଟି ପାଇଁ କଂଗ୍ରେସ ଭବନରେ ପିଆଜ ହାଟ ବସାଇଛି । ପିଆଜକୁ ଦେଖି ଲୋକଙ୍କ ଆଖି ଓଦା ହେଇଯାଉଥିବା ବେଳେ କଂଗ୍ରେସର ପିଆଜ ବିକ୍ରି ରାଜନୈତିକ ରୁଟି ସେକା ବୋଲି ଲୋକ କହୁଛନ୍ତି ।

କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକୁଥିବା ପ୍ରଚାର ହେବା ପରେ ସ୍ଥିତି ପରଖିବାକୁ ଆମ ଟିମ୍ ପହଞ୍ଚିଥିଲା ସେଠାରେ ଆଉ ଯାହା ଦେଖିଲା ତାହା ବିଲକୁଲ ଲୋକହସା କଥା । ଯେତିକି ପିଆଜ ଆସିଛି ୪୦ ଟଙ୍କାରେ ବିକିଲେ ଚାରି ଛଅ ଘଣ୍ଟା ଭିତରେ ଖତମ୍ ହେଇଯିବ । ମାନେ କ’ଣ କେବଳ ରାଜନୀତି କରିବାକୁ ପିଆଜ ମଗାଯାଇଛି । କଂଗ୍ରେସ ୪୦ ଟଙ୍କାରେ ଦିନକ ପାଇଁ ପିଆଜ ବିକିଲେ ପିଆଜ ଦର କମିଯିବନି କି ଲୋକଙ୍କ ଆବଶ୍ୟକତା ବି ମେଣ୍ଟିବନି । ରାଜଧାନୀରେ ଲୋକଙ୍କ ପାଖରେ ପଇସା ଅଛି, ଏଠି ଲୋକେ ୧୦୦ ଟଙ୍କା ଦେଇ ପିଆଜ ଖାଇପାରିବେ । କିନ୍ତୁ ଯେଉଁମାନଙ୍କ ପଖାଳ କଂସାରୁ ପିଆଜ ହଜିଯାଇଛି, ସେମାନଙ୍କ ଦୁଃଖ ବୁଝୁଛି କିଏ ?କ’ଣ ଏଠି କ୍ୟାମେରା ସଜ ହୋଇଛି ରହିଛି ବୋଲି ପିଆଜ ଆସିଛି ନା ବାସ୍ତବରେ କଂଗ୍ରେସ ଲୋକଙ୍କ ଦୁଃଖ ସହିପାରୁନି। ବର୍ଷ ବର୍ଷ ହେଲାଣି କଂଗ୍ରେସ ନିଜ ଘରକୁ ସଜାଡ଼ୁ ପାରୁ ନ ଥିବା ବେଳେ ପିଆଜ ପ୍ରତିବାଦ କରି ନିଜ ଭାବମୂର୍ତ୍ତିରେ କ’ଣ ସୁଧାର ଆଣିପାରିବ ।

ପିଆଜର ଲୁହବୁହା ଯାତ୍ରା

ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ପିଆଜ ଦର କେଜି ପିଛା ୧୦୦ ଛୁଇଁଛି । ଯାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ତତ୍କାଳୀନ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କେ.ଭି ଥୋମାସ ଇଜିପ୍ଟ, ଆଫଗାନିସ୍ତାନ ସହ ପାକିସ୍ତାନରୁ ପିଆଜ ଆମଦାନୀ ପାଇଁ କଥାବାର୍ତ୍ତା କରିଥିଲେ ।୨୦୧୩ ମସିହା ଅକ୍ଟୋବର ମାସରେ ଦେଶରେ ପିଆଜ ଦରରେ ନିଆଁ ଲାଗିଥିଲା । ସବୁଠୁ ଅଧିକ ପିଆଜ ଉତ୍ପାଦନ କରୁଥିବା ନାସିକରେ ପିଆଜ କେଛି ପିଛା ଶହେ ଟଙ୍କା ଛୁଇଁଥିଲା । ବିଶ୍ୱରେ ପିଆଜ ଉତ୍ପାଦନରେ ଚୀନ ପରେ ଦ୍ୱିତୀୟ ସ୍ଥାନରେ ଥିବା ଭାରତକୁ ବିଦେଶରୁ ପିଆଜ ଆମଦାନୀ କରିବାକୁ ପଡ଼ିଥିଲା । ଏବେ ସମାନ ସ୍ଥିତି ଉପୁଜିଛି । ୨୦୧୩ ଭଳି ବର୍ତ୍ତମାନ ଚାହିଦା ମେଣ୍ଟାଇବାକୁ ତୁର୍କୀ ଓ ଇଜିପ୍ଟରୁ କେନ୍ଦ୍ର ସରକାର ପିଆଜ ଆମଦାନୀ କରୁଛନ୍ତି ।

https://nandighoshatv.commmtc-places-order-for-import-of-11000-mt-of-onions-from-turkey/

Leave a Reply