ସେଞ୍ଚୁରୀ ମାରି ରେକର୍ଡ କରିବା ଲକ୍ଷ୍ୟରେ ପିଆଜ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଡାଲି ଆଉ ପେଟ୍ରୋଲ..

1 min read

ସେଞ୍ଚୁରୀ ମାରିବାକୁ ସଜବାଜ ଚାଲିଛି । ପେଟ୍ରୋଲ, ପିଆଜ ଓ ଡାଲି ହେଉଛନ୍ତି ସଜବାଜ । ଏହି ସଜବାଜରେ ପେଟ୍ରୋଲ ସାମାନ୍ୟ ପଛରେ ପଡ଼ିଯାଇଛି । ତେବେ ଅନ୍ୟ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛି । ବଜାରରେ ପେଟ୍ରୋଲ ଲିଟର ୮୦ ଟଙ୍କାରୁ ଉପରେ ପହଞ୍ଚି ଯାଇଛି । ଆଉ  କିଛିଦିନ ହେଲା ପିଆଜ ତ ଖାଲି ଚୌକା ଓ ଛକା ମାରିଚାଲିଛି । ସିଙ୍ଗଲର ଦର୍ଶନ ନାହିଁ । ୫୦ରୁ ପାଖାପାଖି ୧୦୦ ଯାଏଁ ହେଲାଣି । ଡାଲି ବି ସେଞ୍ଚୁରୀର ନିକଟତର ହେଉଛି । ୯୦ରୁ ୧୦୦ ଭିତରେ ପହଞ୍ଚିଗଲାଣି ଦର । ଏହି ନିତ୍ୟ ଆବଶ୍ୟକ ସାମଗ୍ରୀ ସେଞ୍ଚୁରୀ ମାରିବାକୁ ଯାଉଥିବା ବେଳେ ସାଧାରଣଲୋକର ଚିନ୍ତା ବି ସେଞ୍ଚୁରୀର ନିକଟତର ।

ପିଆଜର ଅହୋ ଭାଗ୍ୟ- ପରିବା ଡାଲାରୁ ଯାଇ ଲକରରେ ପହଞ୍ଚି ଗଲାଣି । ସୁନାରୂପା ଓ ଗହଣା ଗାଣ୍ଠି ରହୁଥିବା ଗୁପ୍ତ ସ୍ଥାନକୁ ବିନା ଯାଞ୍ଚରେ ପ୍ରବେଶ ଅନୁମତି । ପିଆଜ ପ୍ରତି ଆଜି ଆଉ ଅସୂୟା ନାହିଁ । ଧରିଲେ ହାତ ଧୋଉଥିବା କିଛି ଲୋକ ଭାରି ଆଦର ଯତ୍ନ କରୁଛନ୍ତି । ସତରେ ଏତେ ଆଦର ଆଗରୁ କାହିଁକି ହେଉନଥିଲା ଭାବୁଛି ପିଆଜ । ପରସ୍ତ ପରସ୍ତ ଚୋପା ତଳେ କେତେ କଟୁତା ତାର । ସେହି କଟୁତାରେ ଆଖିରୁ ଲୁହ ଝରାଇଦିଏ । ସୋସିଆଲ ମିଡିଆରେ ପିଆଜ ଆଜି ଟପ୍‌ ସେଲିବ୍ରିଟି । ଆଜି ତାକୁ ନେଇ କେତେ ଚର୍ଚ୍ଚା । ବଡ଼ ବଡ଼ ସେଲିବ୍ରିଟି ବି ପଛରେ ପଡ଼ିଯାଇଛନ୍ତି ।
ପିଆଜ ସହ ପେଟ୍ରୋଲ ଓ ଡାଲି ସେଞ୍ଚୁରୀ ମାରିବାକୁ ଯାଉଥିଲେ ହେଁ ପିଆଜ ଭଳି ଏତେ ଚର୍ଚ୍ଚାରେ ନାହାଁନ୍ତି । ପେଟ୍ରୋଲ ଧିରେ ଧିରେ ସେଞ୍ଚୁରୀ ନିକଟତର ହେଉଛି । ପୂର୍ବରୁ ସେଞ୍ଚୁରୀର ଅଭିଜ୍ଞତା ଡାଲିର ରହିଛି । ତେଣୁ ପିଆଜ ସେଞ୍ଚୁରୀକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ।

Leave a Reply