ଏଥର କନ୍ଦାଇଲାଣି ପିଆଜ ଦର

ଭୁବନେଶ୍ବର: ପରିବା ବଜାରରେ ଚଢ଼ା ଦର ଥିବା ବେଳେ, ଏଥିରେ ପୁଣି ନିଆଁ ଲଗାଇଛି ପିଆଜ ଦର। ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ କିଲୋ ପିଛା ରାତିକେ ୧୦ ଟଙ୍କା ବୃଦ୍ଧି ପାଇ ୫୦ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ୪୦ ଟଙ୍କାରେ ଖୁଚୁରା ବଜାରରେ ପିଆଜ ବିକ୍ରୀ ହେଉଥିବା ବେଳେ ଏବେ ଏହାର ଦର ହୋଇଛି ୫୦ ଟଙ୍କା । ତେବେ ବଜାରର ପିଆଜ ଆବଶ୍ୟକତା ଅନୁସାରେ ଯୋଗାଣ କମୁଥିବାରୁ ଦରରେ ହଠାତ୍ ବୃଦ୍ଧି ଘଟିଥିବା ବ୍ୟବସାୟୀ ସଂଘ କହିଛି । ଚାହିଦା ମୁତାବକ ନାସିକରୁ ଯୋଗାଣ ହୋଇପାରୁନି ପିଆଜ । ନଭେମ୍ବର ଦ୍ବିତୀୟ ସପ୍ତାହରେ ନୂଆ ଅମଳ ହେବା ପରେ ପିଆଜ ଦରରେ ପୁଣି ସ୍ବାଭାବିକତା ଆସିବାର ସମ୍ଭାବନା ରହିଛି । ଦେଶର ମୁଖ୍ୟ ଆମଦାନୀକାରୀ ରାଜ୍ୟ ମହାରାଷ୍ଚ୍ରରେ ଏବେ ପିଆଜ ସଂକଟ ଦେଖିବାକୁ ମିଳିଛି। ବିଭିନ୍ନ ମଣ୍ଡିରେ ବ୍ୟବସାୟୀ ଆଗୁଆ ପିଆଜ ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଛି । ପିଆଜ କ୍ବିଣ୍ଟାଲ ପୂର୍ବରୁ ୨୫୦୦ ଟଙ୍କା ଥିବା ବେଳେ ଏବେ ଏହେ ୪୬୬୦ ଟଙ୍କା ହୋଇଛି ।