ନୂଆ ସରକାରରେ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ: ପିଆଜ ଚାଷରୁ ମୁହଁ ଫେରାଇ ନେଲେଣି ଚାଷୀ

ଧର୍ମଗଡ଼: କଳାହାଣ୍ଡି ଧର୍ମଗଡ ଉପଖଣ୍ଡରେ ଆଉ ପିଆଜ ଚାଷ ପ୍ରତି ମନ ବଳାଉ ନାହାଁନ୍ତି ଚାଷୀ । ନା ଅଛି ନୂଆ ସରକାରରେ ପ୍ରୋତ୍ସାହନ ନା ଅଛି ସଂରକ୍ଷଣ ବ୍ୟବସ୍ଥା । ଫଳରେ ଶାଗ ମାଛ ଦରରେ ଚାଷୀ ବସ୍ତା ପିଛା ୫୦୦ ରୁ ୬୦୦ ଟଙ୍କାରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛି। କିନ୍ତୁ ନିଜେ ଖାଇବା ପାଇଁ ଚଢା ଦରରେ କିଲୋ ପ୍ରତି ୭୦ ରୁ ୮୦ ଟଙ୍କାରେ କିଣୁଛନ୍ତି । ଅଞ୍ଚଳରେ ପ୍ରତିବର୍ଷ ଅମଳ ହେଉଛି ୨ ହଜାର ମେଟ୍ରିକ ଟନ ପିଆଜ । ହେଲେ ଅମଳ ଫସଲକୁ ସଂରକ୍ଷିତ କରି ରଖିବା ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ ।

ଚଳିତ ବର୍ଷ କେଉଁଠି ପିଆଜ ଅମଳ ହେଲାଣି ତ ଆଉ କେଉଁଠି ଚାଲିଛି ରୋପଣ । ଧର୍ମଗଡ ଉପଖଣ୍ଡର ଧର୍ମଗଡ, ଗୋଲାମୁଣ୍ଡା, କୋକସରା, କଲମପୁର, ଜୁନାଗଡ଼ ଓ ଜୟପାଟଣା ବ୍ଳକରେ ପାଖାପାଖି ୩୦ରୁ ଉର୍ଦ୍ଧ୍ଵ ଗାଁରେ ୨ ହଜାରରୁ ଉର୍ଦ୍ଧ୍ଵ ଏକର ଜମିରେ ହୋଇଛି ପିଆଜ ଚାଷ । ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ଜିଲ୍ଲାରେ ସାମାନ୍ୟ କମ୍ ପିଆଜ ଚାଷ ହୋଇଛି । ତେବେ ଚଳିତ ବର୍ଷ ଚଢା ଦରରେ ପିଆଜ ବିକ୍ରି ହେବା ନେଇ ଆଶଙ୍କା ରହିଛି । ଏପଟେ ବିଭାଗୀୟ ଅଧିକାରୀ କହିଛନ୍ତି କିଛି ଅସୁବିଧା ହେବ ନାହିଁ । ପୂର୍ବ ସରକାର କୃଷି ଓ କୃଷକଙ୍କୁ ଗୁରୁତ୍ଵ ଦେବା ସାଙ୍ଗକୁ ମାଗଣା ବିହନ କୀଟନାଶକ ଓ ସବସିଡି ବ୍ୟବସ୍ଥା ଯୋଗାଇଦେଉଥିଲେ । ଏବେ ନୂଆ ସରକାରରେ ଏସବୁ ବ୍ୟବସ୍ଥା ନଥିବାରୁ ପିଆଜ ଚାଷର ହବ ପାଲଟି ଥିବା ଧର୍ମଗଡରେ ଏବେ ପିଆଜ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।