କର୍ଣ୍ଣାଟକ: ପ୍ରଥମ କ୍ୟାବିନେଟ ବୈଠକରେ ୫ ଗ୍ୟାରେଣ୍ଟିକୁ ମିଳିଲା ମଞ୍ଜୁରୀ, ରାହୁଲ କହିଲେ ଆମେ ଯାହା କହୁ ତାହା କରୁ

ବେଙ୍ଗାଲୁରୁ: କଥା ଦେଇ କଥା ରଖିଲା କଂଗ୍ରେସ । କର୍ଣ୍ଣାଟକରେ ସରକାର ଗଢ଼ିବା କ୍ଷଣି ନିଜର ୫ ଗ୍ୟାରେଣ୍ଟି ପୂରଣ କରିଛି କଂଗ୍ରେସ । ନିର୍ବାଚନ ସମୟରେ କଂଗ୍ରେସ ୫ଟି ଗ୍ୟାରେଣ୍ଟିକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଟ୍ୱିଟ କରି କହିଛନ୍ତି ପ୍ରଥମ ମିଟିଙ୍ଗରେ ହିଁ ୫ଟି ଗ୍ୟାରେଣ୍ଟିକୁ ମଞ୍ଜୁରି ମିଳିଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି, ଯାହା ଆମେ କହିଥାଉ ତାହା ପୂରା କରିଥାଉ ।

ପ୍ରଥମ ଦିନ, ପ୍ରଥମ କ୍ୟାବିନେଟ ମିଟିଂରେ କର୍ଣ୍ଣାଟକ ଜନତାଙ୍କୁ ଦେଇଥିବା ଆମର ଗ୍ୟାରେଣ୍ଟିକୁ ମଞ୍ଜୁରୀ ମିଳିଯାଇଛି । ଅନ୍ୟପକ୍ଷରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ କହିଛନ୍ତି ଯେ କଂଗ୍ରେସ ପାର୍ଟି ପାଞ୍ଚଟି ଦାବିକୁ ମଞ୍ଜୁରୀ ଦେଇଛି । ସେ କହିଛନ୍ତି ଆମେ ଯେଉଁ ପ୍ରତିଜ୍ଞା କରିଥିଲୁ ତାକୁ ପୂରା କରିଛୁ । ସୋନିଆ ଗାନ୍ଧି ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଁ କର୍ଣ୍ଣାଟକର ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ କଂଗ୍ରେସ ସପକ୍ଷରେ ଜନାଦେଶ ଦେଇଛନ୍ତି ।

ଏହି ଜନାଦେଶ ଦୁର୍ନୀତି ଏବଂ ବିଭାଜନର ରାଜନୀତି ବିରଧରେ ହୋଇଛି । କଂଗ୍ରେସ ସରକାର ନିଜର ପ୍ରତିଶ୍ରୁତିକୁ ପୂରଣ କରିବ । ପ୍ରକାଶଥାଉକି, ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ଯେ ପାଞ୍ଚଟି ପ୍ରତିଜ୍ଞା ପୂରା କରିବା ପାଇଁ ଆମେ କ୍ୟାବିନେଟର ସହମତି ହାସଲ କରିଛୁ । ସିଦ୍ଧରମେୟା କହିଛନ୍ତି ଯେ ଆଗାମୀ କ୍ୟାବିନେଟରେ ସମ୍ପୂର୍ଣ୍ଣ ମସୁଧା ଆସିବ ।

ପ୍ରକାଶଯୋଗ୍ୟ, ସୋମବାର କର୍ଣ୍ଣାଟକ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ସରକାର ଗଠନ ହେବାର ଗୋଟେ ଘଣ୍ଟା ପରେ ପ୍ରଥମ କ୍ୟାବିନେଟରେ ୫ ଗ୍ୟାରେଣ୍ଟିକୁ ପୂରା କରାଯିବ । ଯାହା କି ଆଜି କଥା ଅନୁଯାୟୀ ଗ୍ୟାରେଣ୍ଟି ପୂରଣ କରାଯାଇଛି ।