ରାଷ୍ଟ୍ରପତି କୋବିନ୍ଦଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା: ଦଳଗତ ମନୋବୃତ୍ତିରୁ ଉର୍ଦ୍ଧ୍ୱକୁ ଯାଇ ସବୁ ଦଳ କାମ କରିବା ଦରକାର

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ରବିବାର ମଧ୍ୟରାତ୍ରୀରେ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏଥିପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟୀ ସମ୍ବର୍ଧନା ଦିଆଯାଇଛି । ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ସାଂସଦ ମାନେ ଉପସ୍ଥିତ ରହି ରାମନାଥ କୋବିନ୍ଦଙ୍କୁ ବିଦାୟୀ କାଳିନ ସମ୍ବର୍ଧନା ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଥିଲେ । ଦଳଗତ ମନୋବୃତ୍ତିରୁ ଉପରକୁ ଉଠି ସବୁ ଦଳ କାମ କରିବା ଦରକାର ବୋଲି ରାମନାଥ କହିଛନ୍ତି । ସବୁ ସାଂସଦଙ୍କ ପ୍ରତି ତାଙ୍କର ସ୍ବତନ୍ତ୍ର ସମ୍ମାନ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଦାୟ ସମାରୋହକୁ ସମ୍ବୋଧିତ କରି କହିଛନ୍ତି, ଆଜି ସମସ୍ତଙ୍କଠାରୁ ବିଦାୟ ନେଉଛି । ସମ୍ପୂର୍ଣ୍ଣ କ୍ଷମତା ସହକାରେ କର୍ତ୍ତବ୍ୟର ନିର୍ବାହ କରିଛି । ଦେଶର ସେବା କରିବାକୁ ମୋତେ ଯେଉଁ ସୁଯୋଗ ମିଳିଥିଲା, ସେଥିପାଇଁ ଦେଶବାସୀଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବି । ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର । ଆଜି ଦେଶ ବିକାଶ ଦିଗରେ ଅଗ୍ରସର ହେଉଛି, ବିରୋଧୀ ଦଳଗୁଡିକୁ ମଧ୍ୟ ଜାତିଗତ ଏବଂ ପରିବାରବାଦ ରାଜନୀତିରୁ ଉର୍ଦ୍ଧ୍ୱକୁ ଯିବାର ଆବଶ୍ୟକତା ରହିଛି ।

ଯଦି ଆପଣ ସରକାରଙ୍କ କୌଣସି ନୀତିକୁ ନେଇ  ଅସହମତି ଅଛନ୍ତି ତେବେ ସମ୍ବିଧାନରେ ଆପଣଙ୍କୁ ବିରୋଧ ପ୍ରକଟ କରିବାର ଅଧିକାର ରହିଛି । ମହାତ୍ମା ଗାନ୍ଧୀ ବିରୋଧ ପ୍ରଦର୍ଶନ କରିବା ପାଇଁ ଦେଶକୁ ଅହିଁସାର ରାସ୍ତା ଦେଖାଇଥିଲେ । ଆମେ ତାଙ୍କ ବିଚାର ଏବଂ ଶିକ୍ଷାକୁ ମନେ ରଖିବାର ଆବଶ୍ୟକ ରହିଛି ।ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହ ଜୁଝୁଛି ।

ଆମେ ସମସ୍ତଙ୍କୁ ମହାମାରୀ ଏକ ଶିକ୍ଷା ଦେଇଛି । ଆମେ ଭୁଲିଯାଇଛି ଯେ ସମସ୍ତେ ଆମେ ପ୍ରକୃତିର ଅଂଶବିଶେଷ ବୋଲି । ଏଥିସହିତ ସେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା ଅଧ୍ୟକ୍ଷ ଓମ ବିରଲା ଏବଂ ସଂସଦର ଦୁଇ ଗୃହର ସାଂସଦମାନେ ମଧ୍ୟ ସାମିଲ ରହିଥିଲେ ।