ଇମ୍ରାନ ଖାନଙ୍କ ସୁରକ୍ଷା କାରକେଡ କାର୍ ଦୁର୍ଘଟଣାଗ୍ରସ୍ତ

ଇସଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁରକ୍ଷା କାରକେଡର ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଲାହୋରରୁ ଇସଲାମାବାଦ ଗସ୍ତ ସମୟରେ ଗୋଟିଏ ସୁରକ୍ଷା ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କିନ୍ତୁ ଇମ୍ରାନଙ୍କ କାର ଦୁର୍ଘଟଣାରୁ ବର୍ତ୍ତିଯାଇ ସୁରକ୍ଷିତ ଇସଲାମାବାଦ ଫେରିଛି । ଲାହୋରରୁ ଇମ୍ରାନ ଆଜି ବାହାରି କୋର୍ଟରେ ହାଜର ହେବାକୁ ଯାଉଥିଲେ । ତୋଷଖାନା ମାମଲାରେ ଆଜି ଶୁଣାଣି ହେବ । ଏହି ମାମଲାରେ ଗିରଫଦାରୀ ଏଡ଼ାଇବାକୁ ସେ ବାରମ୍ବାର କୋର୍ଟରେ ହାଜର ହେବାକୁ ବାହାନା କରିଆସୁଥିଲେ ।

ନିର୍ବାଚନବେଳେ ସଂପତ୍ତି ତାଲିକା ଦର୍ଶାଇବା ବେଳେ ସେ ପାଇଥିବା ଗିଫ୍ଟ ବିଷୟରେ କିଛି ଉଲ୍ଲେଖ କରିନଥିଲେ । ଏନେଇ ପାକିସ୍ତାନ ନିର୍ବାଚନ କମିଶନ କୋର୍ଟରେ ଏକ ଅଭିଯୋଗ କରିଥିଲେ । ତେବେ ବାରମ୍ବାର ନୋଟିସ ସତ୍ତ୍ବେ ଇମ୍ରାନ କୋର୍ଟରେ ହାଜର ନହେବାରୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା । ତେବେ କାଲି ତାଙ୍କୁ କୋର୍ଟରୁ ଗିରଫଦାରୀ ନହେବାର ଆଶ୍ବସ୍ତି ମିଳିବା ପରେ ଆଜି କୋର୍ଟରେ ହାଜର ହେବାକୁ ଗଲାବେଳେ ବାଟରେ ଗୋଟିଏ ସୁରକ୍ଷା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।