କ’ଣ ବିଶେଷ ଅଧିବେଶନରେ ଆସିବ ଏକ ଦେଶ,ଏକ ନିର୍ବାଚନ ବିଲ୍?

1 min read

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । କିଛିଦିନ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିବାବେଳେ ପୁଣିଥରେ ହଠାତ ଅଧିବେଶନ ଡକାଇବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ମୋଦି ସରକାର ନୂଆ ଯୋଜନା ସହ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି କୁହାଯାଉଛି । ବିଶେଷ କରି ଏକ୍ ଦେଶ, ଏକ ନିର୍ବାଚନ ବିଲ୍ ଆଗତ କରିପାରନ୍ତି । ନିର୍ବାଚନ ପୂର୍ବରୁ ଶୀତକାଳିନ ଅଧିବେଶନ ବସିବାକୁ ଥିବାବେଳେ ହଠାତ ସ୍ବତନ୍ତ୍ର ଅଧିବେଶନ ଡକାଇବା ପଛରେ ରାଜନୈତିକ କାରଣ ରହିଥିବା ନେଇ ଚର୍ଚ୍ଚା ହେଉଛି ।

ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।  ଅନ୍ୟପଟେ ନିର୍ବାଚନ ପୂର୍ବରୁ ଜି-୨୦ ବୈଠକ, ଚନ୍ଦ୍ରଯାନ ମିଶନ, ସଂସଦର ନୂତନ ଭବନରେ ପ୍ରବେଶ, ଏକ ଦେଶ, ଏକ ନିର୍ବାଚନ ବିଲ୍ ଆାଗତ କରିପାରନ୍ତି । ତେବେ ଏସବୁ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ଏବଂ ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଶୁଭ ସମୟରେ ନୂଆ ସଂସଦ ଭବନ ଗୃହରେ ପ୍ରବେଶ

କୁହାଯାଉଛି କି, ସ୍ବତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ଯଦିଓ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ । କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୌସୁମୀ ଅଧିବେଶନ ପୂର୍ବରୁ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ନୂଆ ଏବଂ ପୁରୁଣା ସଂସଦ ଭବନର ଫଟୋକୁ ପୋଷ୍ଟ କରିଥିଲେ । କୁହାଯାଉଥିଲା କି, ମୌସୁମୀ ଅଧିବେଶନ ପୂର୍ବରୁ ନୂତନ ସଂସଦ ଭବନରେ ଅଧିବେଶନ ବସିବ । କିନ୍ତୁ ଏହା ହୋଇନଥିଲା । ଶୁଭ ମୁହୂର୍ତ୍ତରେ ସଂସଦ ଭବନର ଉଦଘାଟନ ହୋଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଅଧିବେଶନ ବସିନାହିଁ । ଏଣୁ ଚର୍ଚ୍ଚା ହେଉଛି କି ସ୍ବତନ୍ତ୍ର ଅଧିବେଶନ ଏହି ନୂଆ ସଂସଦ ଭବନରେ ୫ଦିନ ଧରି ଚାଲିପାରେ ।

ଜି 20 ବୈଠକ ଏବଂ ଚନ୍ଦ୍ରଯାନ ମିଶନ ମଧ୍ୟରେ ସଂଯୋଗ

ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ହେବ । ଯାହାକି ଦେଶ ପାଇଁ ବଡ଼ ଗୌରବର କଥା । ଶିଖର ସମ୍ମିଳନୀରେ ଦେଶର ବିକାଶକୁ ନେଇ ଆଲୋଚନା ହୋଇପାରେ । ସେପଟେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେବା ଦେଶ ପାଇଁ ଗୌରବର କଥା । ବିଶ୍ବର ପ୍ରଥମ ଦେଶଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏଣୁ ଏହି ସ୍ବତନ୍ତ୍ର ଅଧିବେଶନରେ ମୋଦି ସରକାର ଚନ୍ଦ୍ରଯାନ ମିଶନ ଏବଂ ଜି-୨୦ ବୈଠକ ସମ୍ପର୍କରେ ୧୮ରୁ ୨୨ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହୋଇପାରେ ।

ଆଗୁଆ ନିର୍ବାଚନ ପ୍ରସଙ୍ଗ ସତ ହେବ କି?

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆାଗୁଆ ନିର୍ବାଚନ ହେବ ଏକ ଦାବି କରିଥିଲେ । ଯାହାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ବିଜେପି ନେତାମାନେ ଅସ୍ବିକାର କରିଛନ୍ତି ।  ଏଣୁ ସ୍ବତନ୍ତ୍ର ଅଧିବେଶନରେ ସରକାର ବିଭିନ୍ନ କିଛି ଗୁରୁତ୍ବପୂର୍ଣ୍ଣ ବିଲ ପାସ କରିପାରନ୍ତି । ଏବଂ ବିଭିନ୍ନ ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଲୋଚନା ହେଉଛି ।

ୟୁସିସି, ଓ୍ବାନ ନେସନ, ଓ୍ବାନ ନିର୍ବାଚନ ଭଳି ବିଲ୍ ଆାଗତ କରିପାରନ୍ତି

କିଛି ମାସ ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଯାଉଛି । ଏଣୁ ସ୍ବତନ୍ତ୍ର ଅଧିବେଶନରେ ଓ୍ବାନ ନେସନ, ଓ୍ବାନ ନିର୍ବାଚନ ବିଲ୍ ଆଗତ କରିପାରନ୍ତି । ଯାହାର ଅର୍ଥ ହେଉଛି ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକା ସମୟରେ ହେବ । ୟୁସିସି ମଧ୍ୟ ଲାଗୁ କରିପାରନ୍ତି ସରକାର । ଯାହାକି ପ୍ରଥମେ ଉତ୍ତରାଖଣ୍ଡରେ ଲାଗୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରି ଲୋକଙ୍କୁ ସରପ୍ରାଇଜ୍ ଦେଇପାରନ୍ତି । ଯେପରିକି ଗ୍ୟାସ ଦର କମିଥିଲା ସେହିଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ମଧ୍ୟ ନେଇପାରନ୍ତି । ଯାହାକି ସିଧା ସଳଖ ନିର୍ବାଚନ ପୂର୍ବରୁ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ ।

ମୁମ୍ବାଇରେ ଇଣ୍ଡିଆ ପକ୍ଷରୁ ବିରୋଧୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ବିରୋଧରେ ବିରୋଧୀମାନେ ଗର୍ଜୁଛନ୍ତି । ସିଧାସଳଖ ଭାବେ ଆଦାନୀ ମାମଲାକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ଟାର୍ଗେଟ କରିଛନ୍ତି । ଏଭଳି ଏକ ସମୟରେ ଲୋକଙ୍କ ନଜରକୁ ହଟାଇବା ପାଇଁ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇବା ନେଇ କହିଛନ୍ତି  ବିରୋଧୀ ।