ଲୋକସଭାରେ ଆଗତ ହେଲା ବିବାଦୀୟ ୱାନ ନେସନ ୱାନ ଇଲେକସନ ବିଲ୍

1 min read

ନନ୍ଦିଘୋଷ ବ୍ୟୁରୋ: ଲୋକସଭାରେ ଆଗତ ହେଲା ବିବାଦୀୟ ୱାନ ନେସନ ୱାନ ଇଲେକସନ ବିଲ୍। ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ଏହି ବିଲକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ବିଲକୁ ଆଗତ କରିବା ଲାଗି ଏକ ଏକ ଡିଭିଜନ ଅଫ ଭୋଟ ଦାବି କରାଯାଇଥିଲା ଯାହାକୁ ମଞ୍ଜୁର କରିଥିଲେ ବାଚସ୍ପତି। ବିଲ୍ ଆଗତ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ସାଂସଦ ସପକ୍ଷରେ ଭୋଟ ଦେବା ପରେ ବିଲକୁ ମନ୍ତ୍ରୀ ଆଗତ କରିଥିଲେ। ବିଲ୍ ଆଗତ ହେବା ପରେ ଏହାକୁ ନେଇ ଗୃହରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା। ଦେଶର ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗି ଏକଛତ୍ରବାଦ ଚଳାଇବା ଲାଗି ଉଦ୍ୟମ ହେଉଛି ବୋଲି ଅଭିଯୋଗ କରିଥିଲେ ବିରୋଧୀ। ବିଲ୍ ବିପକ୍ଷରେକଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ଆଇୟୁଏମଏଲ, ଡିଏମକେ, ଶିବସେନା(ୟୁବିଟି), ଏନସିପି(ଏସପି), ଏଆଇଏମଆଇଏମ ସମେତ ୧୫ ଦଳ ରହିଥିଲେ। ବିଲ୍ ସପକ୍ଷରେ ରହିଥିଲେ ବିଜେପି, ଟିଡିପି, ଜେଡିୟୁ, ଶିବସେନା, ଏଲଜେପି ସମେତ ୩୨ ଦଳ।

ୱାନ ନେସନ ୱାନ ଇଲେକସନର ଉଦ୍ଦେଶ୍ୟ ହେଲା ଗୋଟିଏ ସମୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରିବା। ୨୦୨୪ରେ ଲୋକସଭା ନିର୍ବାଚନରେ ସାରା ଦେଶରେ ନିର୍ବାଚନ ସହ ୪ଟି ରାଜ୍ୟ ଅର୍ଥାତ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ନିର୍ବାଚନ ହୋଇଥିଲା। ୨୦୨୪ ଅକ୍ଟୋବର-ନଭେମ୍ବରରେ ସରିଥିଲା ମହାରାଷ୍ଟ୍ର, ହରିୟାଣା, ଜମ୍ମୁ ଓ କାଶ୍ମୀର ନିର୍ବାଚନ। ଗତ ୨୦୨୩ରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାରେ ନିର୍ବାଚନ ସରିଥିଲା। ଆସନ୍ତା ୨୦୨୫ ପ୍ରଥମ ଭାଗରେ ହେବ ଦିଲ୍ଲୀ ଓ ବିହାର ନିର୍ବାଚନ। ୨୦୨୬ରେ ହେବ ତାମିଲନାଡୁ ଓ ପଶ୍ଚିମବଙ୍ଗ ନିର୍ବାଚନ।

ତେବେ ବଡ଼କଥା ହେଉଛି ସମ୍ବିଧାନ ସଂଶୋଧନ ବିନା ଏବଂ ସମସ୍ତ ରାଜ୍ୟ ଏହି ସଂଶୋଧନକୁ ଗ୍ରହଣ କରିବା ଆବଶ୍ଯକ ରହିଛି। କେନ୍ଦ୍ରର ଏହି ପ୍ରସ୍ତାବକୁ ବିଭିନ୍ନ ରାଜନୈତିକ ଦଳର ସରକାରଙ୍କ ମଞ୍ଜୁରୀ ଆବଶ୍ଯକ ରହିଛି। ସମ୍ବିଧାନର ଯେଉଁ ସବୁ ଧାରାର ସଂଶୋଧନ ଆବଶ୍ଯକ ତାହା ହେଲା ସଂସଦର କାର୍ଯ୍ୟକାଳ ସଂକ୍ରାନ୍ତ ଧାରା ୮୩, ରାଷ୍ଟ୍ରପତିଙ୍କ ଦ୍ବାରା ସଂସଦ ଭଙ୍ଗ ସଂକ୍ରାନ୍ତ ଧାରା ୮୫, ରାଜ୍ୟ ବିଧାନସଭା ଅବଧି ସଂକ୍ରାନ୍ତ ଧାରା ୧୭୨, ରାଜ୍ୟ ବିଧାନସଭା ଭଙ୍ଗ ସଂକ୍ରାନ୍ତ ଧାର ୧୭୪ ଏବଂ ରାଷ୍ଟ୍ରପତି ଶାସନ ଜାରି ସଂକ୍ରାନ୍ତ ଧାରା ୩୫୬। ଏହି ସବୁ ସଂଶୋଧନୀ ବିଲ୍ ପାସ୍ କରିବାରେ ବିଫଳ ହେଲେ ଭାରତର ସଂଘୀୟ ବ୍ୟବସ୍ଥା ଉଲ୍ଲଂଘନ ବିପଦ ରହିଛି ବୋଲି ଚେତାବନୀ ଦେଇଛନ୍ତି ଆଇନ ବିଶେଷଜ୍ଞ।