ଲୋକସଭାରେ ଆଜି ଆସିବ ଏକ ରାଷ୍ଟ୍ର,ଏକ ନିର୍ବାଚନ ବିଧେୟକ, ଶାସକ ଓ ବିରୋଧୀ ଦଳଙ୍କ ହ୍ୱିପ୍ ଜାରି

1 min read

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ଏକ ଦେଶ ଏକ ଇଲେକସନ୍ ବିଲ। ଲୋକସଭାରେ ଆସିବ ୱାନ ନେସନ ୱାନ ଇକେଲକସନ ବିଧେୟକ। ମଧ୍ୟାହ୍ନ ୧୨ଟା ସମୟରେ ଲୋକସଭାରେ ଆଗତ ହେବ ଏହି ବିଲ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଧେୟକ ଆଗତ କରିପାରନ୍ତି। ଏ ନେଇ ବିଜେପି ପକ୍ଷରୁ ଗୃହରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କ ପାଇଁ ହ୍ଵିପ ଜାରି ହୋଇଛି। ଏହି ବିଲ ଲୋକସଭାରେ ଆଗତ ପରେ ପାର୍ଲାମେଣ୍ଟର ଦୁଇ ସଦନର ମିଳିତ କମିଟି ନିକଟକୁ ପଠାଯାଇପାରେ। ବିଲକୁ ଲୋକସଭାରେ ଉପସ୍ଥାପନ ପରେ ସଂସଦର ମିଳିତ କମିଟିକୁ ପଠାଇବାକୁ ଅନୁରୋଧ କରିପାରନ୍ତି ଆଇନମନ୍ତ୍ରୀ। ସମସ୍ତ ଦଳର ସାଂସଦ ପ୍ରତିନିଧିଙ୍କୁ ନେଇ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯିବ

ସବୁଠାରୁ ବଡ଼ ଦଳ ଭାବେ ବିଜେପିରୁ ଏହି କମିଟିର ଅଧ୍ୟକ୍ଷ ରହିବା ସମ୍ଭାବନା ରହିଛି। ଅନ୍ୟ ଦଳରୁ କିଏ ରହିବେ ସଦସ୍ୟ ଏ ନେଇ ବାଚସ୍ପତି ଅନ୍ୟ ଦଳମାନଙ୍କ ଠାରୁ ପ୍ରସ୍ତାବିତ ନାମ ସଂଗ୍ରହ କରିବେ। ଯଦି କୌଣସି ଦଳ ନିଜ ନିଜର ସଦସ୍ୟଙ୍କ ନାମ ପ୍ରସ୍ତାବ ନଦିଅନ୍ତି ତେବେ ବାଚସ୍ପତି ତାଙ୍କ ଇଚ୍ଛା ଅନୁସାରେ ସଦସ୍ୟ ଚୟନ କରିବେ। ବିଲ ଆଗତ ଦିନ ସଂଧ୍ଯାରେ ବାଚସ୍ପତି କମିଟି ଗଠନ ନେଇ ଘୋଷଣା କରିବେ। କମିଟିର ପ୍ରସ୍ତାବିତ କାର୍ଯ୍ୟକାଳ ୯୦ ଦିନ ରହିଥିବାବେଳେ ଆବଶ୍ୟକସ୍ଥଳେ ଏହାକୁ ବୃଦ୍ଧି କରାଯିବାର ବିଧି ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୱାନ ନେସନ ୱାନ ଇଲେକସନ୍ ବିଚାର ନେଇ କମିଟି ଗଠନ ହୋଇଥିଲା। ଦେଶର ସମସ୍ତ ଦଳ ସହ ବିଚାର ବିମର୍ଶ ପରେ ଗତ ମାର୍ଚ୍ଚ ୧୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ଉପସ୍ଥାପନ କରିଥିଲେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ। ଏହି କମିଟି ରିପୋର୍ଟକୁ ଗତ ୧୮ ସେପ୍ଟେମ୍ବରରେ ମୋଦି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଥିଲେ।

ଏଥିରେ ଦେଶରେ ଥିବା ୩୨ ରାଜନୈତିକ ଦଳ ସମର୍ଥନ କରିଥିବାବେଳେ ୧୫ ରାଜନୈତିକ ଦଳ ସମର୍ଥନ କରିନଥିଲେ। ପାର୍ଲାମେଣ୍ଟରେ ଆଗତ ହେଲେ ସମ୍ବିଧାନର ୧୨୯ତମ ସଂଶୋଧନ ବିଲ ହେବ ଏହି ୱାନ ନେସନ ୱାନ ଇଲେକ୍ସନ ବିଲ।। ଏହି ବିଲ ଉପରେ ସଂସଦୀୟ ମିଳିତ କମିଟିରେ ଗୃହୀତ ହେବାପରେ ସଂସଦର ଦୁଇ ସଦନରେ ଆଲୋଚନା ହେବ। ଦୁଇ ସଦନରେ ଗୃହୀତ ହେବାପରେ ବିଲକୁ ସ୍ଵାକ୍ଷର ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପରେ ଏହି ବିଲ ଆଇନରେ ପରିଣତ ହେବ। ଏହି ବିଲ ଆଇନରେ ପରିଣତ ହେଲେ ଆସନ୍ତା ୨୦୨୯ରୁ ଦେଶରେ ଗୋଟିିଏ ଦେଶ ଗୋଟିଏ ନିର୍ବାଚନ ଲାଗୁ ହୋଇପାରେ।ବିଲ ଆଇନରେ ପରିଣତ ହେଲେ ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ।

ଏହି ବିଲ୍ କୁ ଏନଡିଏ ର ସହଯୋଗୀ ଦଳର ସମର୍ଥନ ମଧ୍ୟ ମିଳିଛି । ସହଯୋଗୀ ଦଳମାନେ ସରକାର ଓ ବିଲ୍ ସହ ଛିଡ଼ା ହୋଇଥିବା ଜଣାପଡିଛି। ଏକ ଦେଶ, ଏକ ନିର୍ବାଚନ ବିଲ୍କୁ ବିରୋଧୀ ବିରୋଧ କରୁଛନ୍ତି। ବିରୋଧୀ ଏହାକୁ ଏଭଳି ଏକ ବିଲ୍ ବୋଲି କହୁଛନ୍ତି ଯାହା ଅନାବଶ୍ୟକ ଏବଂ ବାସ୍ତବ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଉଦ୍ଧିଷ୍ଟ ବୋଲି କହୁଛନ୍ତି । ଏଥିସହିତ କଂଗ୍ରେସର ସମସ୍ତ ଲୋକସଭା ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଛି, ଯେଉଁଥିରେ ଆଜିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଗୃହରେ ସେମାନଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଛି।

ଶାସକ ଦଳ ଓ ବିରୋଧୀ କ’ଣ ଯୁକ୍ତି ଉପସ୍ଥାପନ କରୁଛନ୍ତି?
ଏକ ରାଷ୍ଟ୍ର-ଏକ ନିର୍ବାଚନ ସପକ୍ଷରେ ଓ ବିପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଉଛି। ସମର୍ଥକମାନେ ନିର୍ବାଚନ ଖର୍ଚ୍ଚ କମିବ ବୋଲି ଯୁକ୍ତି କରୁଥିବା ବେଳେ ବିରୋଧୀମାନେ ଏହାକୁ ସମ୍ବିଧାନ ବିରୋଧୀ ବୋଲି କହୁଛନ୍ତି। ସମର୍ଥକମାନେ ମତଦାନ ବୃଦ୍ଧି ପାଇବ ବୋଲି କହୁଥିବା ବେଳେ ବିରୋଧୀ ମାନେ ଉତ୍ତରଦାୟିତ୍ୱ ହ୍ରାସ କରିବ ବୋଲି କହୁଛନ୍ତି। ଥରେ ଆଚରଣ ବିଧି ଲାଗୁ ହେବ ବୋଲି ସମର୍ଥକମାନେ ଯୁକ୍ତି ବାଢ଼ିଛନ୍ତି। ବିରୋଧ କରୁଥିବା ଲୋକମାନେ କହୁଛନ୍ତି ଯେ ୫ ବର୍ଷରେ ଥରେ ସରକାର ନିର୍ବାଚନରେ ଏକଛତ୍ରବାଦୀ ହୋଇଯିବେ। ଏହା ବିକାଶ କାର୍ଯ୍ୟକୁ ପ୍ରଭାବିତ କରିବ ନାହିଁ ବୋଲି ସମର୍ଥକ ଦଳଗୁଡ଼ିକ କହୁଥିବା ବେଳେ ବିରୋଧୀମାନେ ବିଶ୍ୱାସ କରନ୍ତି ଯେ ଏହି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଆଞ୍ଚଳିକ ପ୍ରସଙ୍ଗକୁ ଅଣଦେଖା କରିବ।

ରାମନାଥ କୋବିନ୍ଦ କମିଟିର ସୁପାରିସ କ’ଣ?
ଏହି ବିଲ୍ ଉପରେ ରାମନାଥ କୋବିନ୍ଦ କମିଟିର ସୁପାରିସ କ’ଣ? ସମସ୍ତ ବିଧାନସଭାର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ତ୍ରିଶଙ୍କୁ ବିଧାନସଭା, ଅନାସ୍ଥା ପ୍ରସ୍ତାବ ଆସିଲେ ପୁଣି ଥରେ ନିର୍ବାଚନ ହେବା ଦରକାର। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୧୦୦ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ କରାଯାଉ। ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଏକକ ଭୋଟର ତାଲିକା ପ୍ରସ୍ତୁତ କରନ୍ତୁ।

ନଜର ପକାନ୍ତୁ