ବର୍ଷର ଶେଷ ଦିନରେ ରକ୍ତ ରଞ୍ଜିତ ହେଲା ରାଜଧାନୀ

1 min read

ଭୁବନେଶ୍ବର: ୨୦୨୧ରେ ରାଜଧାନୀ ଭୁବନେଶ୍ବର ଅପରାଧୀଙ୍କ ପାଇଁ ପାଲଟିଥିଲା ଚରାଭୁଇଁ । ପୋଲିସ-ଅପରାଧୀ ଲୁଚକାଳି ଖେଳରେ ସରିଗଲା ପୂରା ବର୍ଷ । ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ଯାଉଥିଲେ ପତରେ ପତରେ । ପୋଲିସର କଠୋର କାର୍ଯ୍ୟାନୁଷ୍ଠା ପରେ ବି ଲୁଟ, ଡକାୟତିଠାରୁ ଆରମ୍ଭ କରି ଅପହରଣ ଓ ହତ୍ୟା ଭଳି ଟଣା ପୂରା ବର୍ଷ ଦେଖିବାକୁ ମିଳିଥିଲା । ବର୍ଷର ଶେଷ ଦିନରେ ମଧ୍ୟ ରାଜଧାନୀରେ ରକ୍ତର ଖେଳ । ଶାଳକର ଖଣ୍ଡା ଚୋଟରେ ଗଲା ଭିଣୋଇର ଜୀବନ ।

ଦୁଇଦିନରେ ରାଜଧାନୀର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଦୁଇଟି ବଡ଼ ଧରଣର ଅପରାଧ । ଧୀରିକୁଟୀ ବସ୍ତିରେ ଶଳାର ଖଣ୍ଡା ଚୋଟରେ ଯାଇଛି ଭିଣୋଇର ଜୀବନ । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ନାଁ ଶୁଶାନ୍ତ ଘଡେଇ । ସେ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା ପରେ ଅଭିଯୁକ୍ତ ଶାଳକ ଫେରାର ଥିବା ଜଣାପଡିଛି ।

ସେହି ମଞ୍ଚେଶ୍ବର ଥାନା ଭୋଟପଡ଼ାରେ ଦମ୍ପତିଙ୍କ ଘରେ ହୋଇଥିଲା ଡକାୟତି । ଲୁଟେରା ଦମ୍ପିତଙ୍କ ହାତଗୋଡ଼ ବାନ୍ଧି ବନ୍ଧୁକ ମୁନରେ ୩୦ ଲକ୍ଷ ଟଙ୍କାର ଗହଣା ଓ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଲୁଟିବା ସହ ଦମ୍ପତିଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ।

Leave a Reply