ଗୋଟିଏ ଲୋକ, ଦୁଇଟି ଧର୍ମ

ଯାଜପୁର: ସାରାଦେଶରେ ନାଗରିକତ୍ୱକୁ ନେଇ ବିବାଦ। କେଉଁଠି କାର ଜଳୁଛି ତ କେଉଁଠି ଟେକା ପଥର ମାଡ଼ରେ ଲହୁ ଲୁହାଣ ହେଉଛନ୍ତି ପୋଲିସ। ଚାଲିଛି ଘମାଘୋଟ ଆଉ ଟଣାଓଟରା । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ପାଖରେ ରହିଛି ଦୁଇଦୁଇଟି ପରିଚୟ ପତ୍ର । ଆଉ କେବଳ ସେତିକି ନୁହେଁ ଦୁଇଟି ପରିଚୟ ପତ୍ରରେ ନାଁ ଅଲଗା ରହିବା ସହ ଧର୍ମରେ ମଧ୍ୟ ଅଲଗା।

ଯାଜପୁରର ଏହି ବ୍ୟକ୍ତିଙ୍କ ରହିଛି ୨ଟି ପରିଚୟ ପତ୍ର । ଗୋଟିଏ ପରିଚୟ ପତ୍ରରେ ହିନ୍ଦୁ ଓ ଅନ୍ୟଟିରେ ମୁସଲମାନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଆଧାର ନମ୍ବର ଥାଇ ଦୁଇଟି ଭିନ୍ନ ଭିନ୍ନ ପରିଚୟ ରହିଛି । ଗୋଟିଏରେ ସୋଲେମାନ ଶେଖ ଏବଂ ଅନ୍ୟଟିରେ ବିଟୁ ବିଶ୍ୱାସ ଆଉ ଆଧାର ନମ୍ବର ରହିଛି 897727291967 । କେବଳ ସେତିକି ନୁହେଁ ସୋଲେମାନ ନାଁରେ ଏକ ଭୋଟ ପରିଚୟ ପତ୍ର ମଧ୍ୟ ରହିଛି। ଉକ୍ତ ପରିଚୟ ପତ୍ରରେ ସୋଲେମାନ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ବୋଲି ଜଣା ପଡ଼ିଛି । ଅନ୍ୟପଟେ ଆଉ ଏକ ଆଧାର କାର୍ଡ ରେ ଚୋରଦା , ଯାଜପୁର ରୋଡ଼ ଠିକଣା ରହିଛି । ଦୁଇ ଦୁଇଟି ପରିଚୟ ଥିବା ଘଟଣା ସମ୍ପର୍କରେ ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ ସୋଲେମାନ ଓରଫ ବିଟୁ ଜଣେ ହିନ୍ଦୁ ଝିଅଙ୍କୁ ବିବାହ କରି ଦିର୍ଘଦିନ ହେବ ଏହି ଯାଜପୁର ରୋଡ଼ ଅଞ୍ଚଳରେ ରହି ଆସୁଛି  ଏବଂ ପରେ ସେ ବିଟୁ ନାଁରେ ଆଉ ଏକ ପରିଚୟ ଦେଇଥିଲା । ଏଥିସହ ବିଟୁ ବିଶ୍ୱାସ ନାଁରେ ସେ ଏକ ବୋଲେରୋ ଗାଡ଼ି ମଧ୍ୟ କିଣିଛନ୍ତି। ଅଭିଯୋଗ ପାଇବା ପରେ ଛାନଭିନ୍ କରୁଛି ପୋଲିସ ।

Leave a Reply