ରାଜ୍ୟରେ ଆରମ୍ଭ ହେଲା ନୂତନ ଉନ୍ନତ ଅଭିଳାଷା ଯୋଜନା, ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦିଆଯିବ ତାଲିମ
1 min readଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନା । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯିବ । ୩୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଉନ୍ନତ ଅଭିଳାଷ (ନୂଆ) ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଦକ୍ଷ ମାନବ ସମ୍ବଳ ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ପାରମ୍ପରିକ କ୍ଷେତ୍ର ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦିରେ ନୂତନ ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ । ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକମାନଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ରଖାଯିବ ।
୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଆଇଟିଆଇ, ପଲିଟେକ୍ନିକ, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର ମାଧ୍ୟମରେ ଦକ୍ଷତା, ପୁନଃଦକ୍ଷତା ବୃଦ୍ଧି କରାଯିବ । ପ୍ରତିଷ୍ଠିତ ଶିଳ୍ପ ଏବଂ ତାଲିମ ପ୍ରଦାନକାରୀ ସଂଘ ଇତ୍ୟାଦିଙ୍କୁ ନେଇ ଦକ୍ଷତା କାର୍ଯ୍ୟକ୍ରମ କରାଯିବ । ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସଜ୍ଜିତ ଲ୍ୟାବ୍ ପ୍ରତିଷ୍ଠା ହେଲେ ସ୍କିଲ୍-ଇନ୍- ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ୨୦୨୩-୨୪ ବଜେଟରେ ଏହି ଯୋଜନାକୁ ନେଇ ପରିକଳ୍ପନା କରାଯାଇଥିଲା ।