କାଳିଆପାଣି ଇମ୍ଫା କ୍ରୋମାଇଟ୍ ଖଣିରେ ଦୁର୍ଘଟଣା, କ୍ରସର ମେସିନରେ ଚାପିହୋଇ ଶ୍ରମିକ ମୃତ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ଇମ୍ଫା କ୍ରୋମାଇଟ୍ ଖଣିରେ ଦୁର୍ଘଟଣା । କ୍ରସର ମେସିନରେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରି ନଥିବା ବେଳେ ଏବେବି ମୃତଦେହ କ୍ରସର ବକେଟ୍ ତଳେ ଚାପି ହୋଇ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଇମ୍ଫା କ୍ରୋମାଇଟ୍ ଖଣି ଭିତରେ ଥିବା ଏକ କ୍ରସର୍ ୟୁନିଟରେ ଆଜି ଶ୍ରମିକ ମାନେ କାମ କରୁଥିବା ସମୟରେ ହଠାତ୍ ଫିଲଟର ବକେଟଟି ତଳକୁ ଖସି ପଡ଼ିଥିଲା । ଏହି ସମୟରେ ସେଠାରେ ଥିବା ୨ ଜଣ ଶ୍ରମିକ ବକେଟ୍ ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ଏନେଇ ଖଣି କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।