କିନ୍ନର ପାଖରୁ ଚୋରି ଶିଶୁକନ୍ୟାକୁ ଉଦ୍ଧାର କରି ପୋଲିସ ଜିମା ଦେଲା କିନ୍ନର

ଯାଜପୁର: ଜଣେ କିନ୍ନର ଏକ ୪ ବର୍ଷର ଶିଶୁକନ୍ୟାକୁ ଚୋରି କଲା । ଆଉ ଜଣେ କିନ୍ନର ଶିଶୁକନ୍ୟାକୁ ଉଦ୍ଧାର କରି ପୋଲିସ ଜିମା ଦେଲା । ଏମିତି ଘଟଣା ଦେଖିବାକୁ ମିଳିଛି ଯାଗପୁର ରୋଡ଼ ଥାନା ଅଞ୍ଚଳରେ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ୪ ବର୍ଷର ଶିଶୁକନ୍ୟାକୁ ନେଇ ଜଣେ କିନ୍ନର ଚମ୍ପଟ ମାରିଥିଲା । ଯାଜପୁରରୁ ଚୋର କିନ୍ନରକୁ ଧରିଛନ୍ତି ଅନ୍ୟ କିନ୍ନର । ସମ୍ପୃକ୍ତ କିନ୍ନର ଓ ଶିଶୁକନ୍ୟାକୁ ଯାଜପୁର ରୋଡ଼ ଥାନା ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ କିନ୍ନର ସଂଘର କର୍ମକର୍ତ୍ତା ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଶିଶୁକନ୍ୟାକୁ ଚୋରି କରି ଆଣିଥିବା କିନ୍ନର ପ୍ରକୃତରେ କିନ୍ନର ନୁହେଁ । ଜଣେ ଛଦ୍ମବେଶୀ ବୋଲି ଜଣାପଡ଼ିଛି । ଗତ ଶୁକ୍ରବାର ଠାକୁରମୁଣ୍ଡା ଅଞ୍ଚଳରେ ମେଳା ଚାଲିଥିବା ବେଳେ ଏକ ୪ ବର୍ଷର ଶିଶୁକନ୍ୟାକୁ ନେଇ ଜଣେ କିନ୍ନର ଚମ୍ପଟ ମାରିଥିଲା । ଶିଶୁଟିକୁ ତାର ମାଆ ଜଣେ କିନ୍ନର ନିକଟରେ ଛାଡି ଶୌଚ ହେବାକୁ ଯାଇଥିବା ବେଳେ ସେ ଶିଶୁକୁ ଧରି ବସରେ ଚାଲିଯାଇଥିଲା । ଏନେଇ ଶିଶୁକନ୍ୟାର ମାଆ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଏ ଖବର ସ୍ଥାନୀୟ କିନ୍ନର ସଂଘ ପାଖରେ ପହଁଚି ଥିଲା । ଏହାପରେ କିନ୍ନର ସଂଘ କର୍ମକର୍ତ୍ତା ପିଲାଟିକୁ ଖୋଜାଖୋଜି ଆରମ୍ଭ କରିଥିଲେ । ଆଜି ସ୍ଥାନୀୟ କାଚହୁଡି ସାହିରୁ ୨ ଜଣ ଛଦ୍ମବେଶୀ କିନ୍ନରଙ୍କ ନିକଟରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ଶିଶୁ ଅପହରଣ କରିଥିବା ଅଭିଯୁକ୍ତ ଜଣେ ପୁରୁଷ ବୋଲି ସ୍ବୀକାର କରିବା ସହ ପେଟପାଟଣା ପାଇଁ ଏଭଳି କରିଥିବା କହିଛି । ଏଭଳି କାର୍ଯ୍ୟ କିନ୍ନର ସମାଜକୁ ବଦନାମ କରୁଥିବାରୁ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି କିନ୍ନର ସଂଘର କର୍ମକର୍ତ୍ତା ।