ବ୍ରହ୍ମଗିରି ଦଣ୍ଡୁଆସିପଡ଼ାରେ ଲାଗି ରହିଛି ଉତ୍ତେଜନା

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଦଣ୍ଡୁଆସିପଡ଼ା ଗାଁରେ ଘନ ଘନ ବୋମା ଓ ଗୁଳିମାଡ଼ ଘଟଣା । ଘଟଣାରେ ଜଣେ ମହିଳା ସମେତ ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡ଼ିଛି । ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ଅଛନ୍ତି । ଗିରଫଦାରି ଭୟରେ ବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଛାଡି ଗାଁ ଜନଶୂନ୍ୟ ହୋଇପଡିଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି । ଗତକାଲି ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା ।

ହୋଲି ଖେଳ ପରେ ଗୋଟିଏ ଦଳର ଦୁଇ ଜଣ ଯୁବକ ଅନ୍ୟ ଗାଁରୁ ଚିକେନ କିଣି ଫେରିବା ବେଳେ ଅଚାନକ ଆକ୍ରମଣ କରିଥିଲେ ଅପରପକ୍ଷ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମହାଭାରତ । ଦଣ୍ଡୁଆସିପଡ଼ା ପାଲଟିଥିଲା ରଣକ୍ଷେତ୍ର । ପୂର୍ବରୁ ଫେବୃଆରୀ ୧୦ ତାରିଖରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ପୋଲିସ ଉଭୟ ପଟୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ବ୍ରହ୍ମଗିରିରେ ନିର୍ବାଚନ ଶେଷ ପରେ ଫେବୃଆରୀ ୧୮ ତାରିଖରେ ଉଭୟ ୬ ଜଣ କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ । ଫେବୃଆରୀ ୨୪ରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରାୟ ୪୦ରୁ ଅଧିକ ବୋମା ମାଡ଼ କରାଯାଇଥିଲା । ପୋଲିସ ଗାଁରେ ଚଢ଼ାଉ କରି ଉଭୟ ପକ୍ଷର ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।