ବିବାହ ପାଇଁ ମନା କରିବାରୁ ପ୍ରେମିକାର ଆତ୍ମହତ୍ୟା, ଆଉ ୫ ଜଣ କାହିଁକି ପିଇଲେ ବିଷ ?

ଔରଙ୍ଗାବାଦ:  ବିହାରରେ ଔରଙ୍ଗାବାଦରେ ଘଟିଛି ଏକ ଅଭାବନୀୟ ଘଟଣା ।  ଏକା ସାଙ୍ଗରେ ବିଷ ପିଇଛନ୍ତି ୬ ଜଣ ବାନ୍ଧବୀ । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଭିଡ଼ ମଧ୍ୟ ଅସମ୍ଭାଳ । ଘଟଣା ହେଉଛି କାମା ଥାନା ଅଞ୍ଚଳର ଚିରୈଲା ଗାଁ’ର । ତେବେ ପ୍ରେମରେ ଅସଫଳ ହୋଇ ଜଣେ ନାବାଳିକା ବିଷ ପିଇଦେବା ପରେ ତାଙ୍କର ୫ ଜଣେ ବାନ୍ଧବୀ ମଧ୍ୟ ବିଷ ପିଇ ଦେଇଛନ୍ତି । ପ୍ରେମ ଏବଂ ପ୍ରେମରେ ଅସଫଳ କଥା ତ ସାମ୍ନାକୁ ଆସୁଛି, କିନ୍ତୁ ଅନ୍ୟ ୫ ଜଣ ବିଷ ପିଇବାର କାରଣ କ’ଣ ହୋଇପାରେ ?

ବିଷ ପିଇଥିବା ୬ ଜଣ ନାବାଳିକା ବୋଲି କୁହାଯାଉଛି । ମଗଧ ମେଡିକାଲ କେଲଜରେ ୩ ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ୧୪ ବର୍ଷ ହୋଇଥିବାବେଳେ ଜଣଙ୍କର ବୟସ ୧୫ । ଏମାନଙ୍କ ମଧ୍ୟରେ ଦୁଇଜଣ ଦୁଇ ଭଉଣୀ । ତେବେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍‌ ତିନି ଜଣଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ଏବଂ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ଘଟଣା କ’ଣ ହୋଇପାରେ ପୋଲିସ୍‌ ଏହା ଜାଣିବା ପାଇଁ ତଦନ୍ତ ଜାରି ରଖିଥିବାବେଳେ ପରିବାର ସଦସ୍ୟଙ୍କ ନିକଟରେ ଏହାକୁ ନେଇ କୌଣସି ଉତ୍ତର ନାହିଁ ।

ଅନ୍ୟପଟେ ଏସପି କାନ୍ତେଶ କୁମାର ମିଶ୍ରାଙ୍କ କହିବା ହେଉଛି,  ୬ ଜଣଙ୍କ ମଧ୍ୟରୁ ଜଣେ ନାବାଳିକା ତାଙ୍କ ଭାଇଙ୍କ ଶଳାଙ୍କୁ ପ୍ରେମ କରୁଥିଲେ  ଏବଂ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ ।  କିନ୍ତୁ ଯୁବକ ଜଣକ ମନା କରିବାରୁ ନାବାଳିକା ଏଭଳି ନିଷ୍ପତ୍ତି ନେଲେ ।