ଚଳନ୍ତା ଟ୍ରେନରେ ଛୁରାମାଡ଼, ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ: ଚଳନ୍ତା ଟ୍ରେନରେ ଛୁରା ମାଡ଼ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଚେନ୍ନାଇ ହାଓ୍ବାଡା ମେଲ ଟ୍ରେନରେ ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଂକ ହେଲେ ପଶ୍ଚିମବଙ୍ଗର ପ୍ରଶନଜିତ ତରାଇ ।

ସ୍ୱାମୀ ସ୍ତ୍ରୀ ଓ ତାଙ୍କର ସମ୍ପର୍କୀୟ ମିଶି ଦୁଇ ପରିବାର ଚେନ୍ନାଇ ଠାରୁ ହାଓ୍ବାଡା ଅଭିମୁଖେ ଆସୁଥିଲାବେଳେ ଦୁଇ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉଗ୍ର ହୋଇ ଜଣେ ସମ୍ପର୍କୀୟ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଛୁରି ଭୁଷି ଦେଇଥିଲେ ।

ଗଞ୍ଜାମ ଛତ୍ରପୁର ଷ୍ଟେସନ ମଝିରେ ଯାତ୍ରୀମାନେ ଟ୍ରେନ ଚେନ ପୁଲିଂ କରିବା ପରେ ଆରପିଏଫ ପୋଲିସ ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ କେବଳ ବଚସା ଯୋଗୁଁ ଏହି ଛୁରାମାଡ଼ କରାଯାଇଛି ନାଁ ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ଅଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି  ।