ରବିବାର ଧ୍ବଂସ ହେବ ନଏଡା ସୁପରଟେକ ଟାଓ୍ବାର

1 min read

ନୂଆଦିଲ୍ଲୀ: ଧ୍ବଂସ ହେବ ନଏଡା ସୁପରଟେକ ଟାଓ୍ବାର । ଅପରାହ୍ଣ ସାଢେ ୨ଟାରେ ହେବ ବିସ୍ଫୋରଣ । କେଇକ୍ଷଣିରେ ମାଟିରେ ମିଶିବ ୪୦ ମହଲା ବିଶିଷ୍ଟ ଟାଓ୍ବାର । ପ୍ରାୟ ୧୦ ବର୍ଷର ବିବାଦ ପରେ ମାତ୍ର ୧୦ ସେକେଣ୍ଡରେ ଧୂଳିସାତ ହେବ ଟାଓ୍ବାର । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତବର୍ଷ ଅଗଷ୍ଟରେ ସୁପରଟେକର ଟୁଇନ ଟାଓ୍ବାରକୁ ଧ୍ବଂସ କରିଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ । ଏହି ୧୦୦ ମିଟର ଟାଓ୍ବାରର ଧ୍ବଂସ ଲାଗି ବଟନ ଦବାଇବେ ବ୍ଲାଷ୍ଟର ୪୯ ବର୍ଷ ବୟସ୍କ ଚେତନ ଦତ୍ତ । ହରିଆଣା ହିସାରର ଚେତନ କହିଛନ୍ତି ତାଙ୍କର ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ ।

ଧ୍ବଂସ କାର୍ଯ୍ୟ ସମ୍ପନ୍ନ କରିବାକୁ ଯାଉଥିବା ଏଡିଫାଇସ ଇଞ୍ଜିନିୟରିଂର ଅନୁରୋଧ କ୍ରମେ ଚେତନ ଏହି ବଟନ ଦବାଇବେ । ଗତ ୧୦ ଦିନ ଧରି ଚେତନ ଓ ତାଙ୍କ ଟିମ୍ ଟୁଇନ ଟାଓ୍ବାରର ବିଭିନ୍ନ ସ୍ଥାନରେ ବିସ୍ଫୋରକ ରଖିଆସୁଛନ୍ତି । ଦିଲ୍ଲୀର ଐତିହ୍ୟ କୁତବ ମିନାର ସହ ଉଚ୍ଚତାରେ ସମାନ ଥିବା ସୁପରଟେକ ଟାଓ୍ବାର ନଏଡାର ୯୩-ଏ ସେକ୍ଟରରେ ନିର୍ମିତ ହୋଇଥିଲା । ବିସ୍ଫୋରଣ ଲାଗି ବ୍ୟବହୃତ ହେବ ପ୍ରାୟ ୩ ହଜାର ୭୦୦ କେଜି ବିସ୍ଫୋରକ । ରବିବାର ଦିନ ସ୍ଥାନାନ୍ତରିତ ହେବେ ୫ ହଜାର ବାସିନ୍ଦା ।

ଧ୍ବଂସ ବେଳେ କୋଠାରୁ କୌଣସି ଖଣ୍ଡ ପଦାକୁ ଫିଙ୍ଗି ହେବ ନାହିଁ । କେବଳ କିଛି ଧୂଳି ଉଡିବ ବୋଲି କୁହାଯାଇଛି । ଟାଓ୍ବାର ନିକଟରେ ଥିବା ଏମାରଲଡ କୋର୍ଟ, ଏଟିଏସ ଭିଲେଜ ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ । ପ୍ରାୟ ୨ ହଜାର ୭୦୦ ଯାନ, ପ୍ରାୟ ୨୦୦ ଗୃହପାଳିତ ପ୍ରାଣୀଙ୍କୁ ବି ଅନ୍ୟସ୍ଥାନକୁ ନିଆଯିବ । ୫୦୦ ମିଟର ଯାଏ ଏକ୍ସକ୍ଲୁସନ ଜୋନ ପ୍ରତିଷ୍ଠା ହେବ । ବିସ୍ଫୋରଣ ପରେ ପ୍ରାୟ ୮୦ ହଜାର ଟନ୍ ଧ୍ବଂସାବଶେଷ ସୃଷ୍ଟି ହେବ । ସେପଟେ ସେହି ଅଞ୍ଚଳରେ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି  ।