ଦିନେ ଥିଲା ଗ୍ଲାମର, ଆଜି ମୁଖାଗ୍ନି ଦେବାକୁ ଆସୁନାହାନ୍ତି ଦୁଇ ପୁଅ

ନନ୍ଦିଘୋଷ ବ୍ୟୁରୋ : ସାରା ଜୀବନ ଗ୍ଲାମର ଦୁନିଆରେ ବିତାଇଥିବା ସୁବ୍ରତ ଆଜି ଏକା । ମୃତ୍ୟୁ ବେଳକୁ ବି ତାଙ୍କ ସହ କେହି ନଥିଲେ । ପୂରାପୂରି ଏକୁଟିଆ ଥିଲେ ସୁବ୍ରତ। ଆଜ୍ଞା ହଁ ଆମେ କହୁଛୁ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ କଥା । ସାରା ଜୀବନ ଚାକଚକ୍ୟ ଜୀବନ ଶୈଳୀରେ ବଞ୍ଚିଥିବା ମଣିଷ ମୃତ୍ୟୁ ବେଳକୁ ଯେ ଏତେ ଅଲଗା ହୋଇଯିବ ତାହା କେହି ଭାବି ନଥିଲେ । ଏମିତିକି ମୃତ୍ୟୁ ବେଳକୁ ତାଙ୍କର କୌଣସି ପରିବାର ସଦସ୍ୟ ମଧ୍ୟ ପାଖରେ ନଥିଲେ। ସୁବ୍ରତ ରାୟ ନିଜର ଦୁଇ ପୁଅଙ୍କ ବାହାଘରରେ ବିଶିଷ୍ଟ ରାଜନୖତିକ ବ୍ୟକ୍ତିଙ୍କଠୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଷ୍ଟାର ମାନଙ୍କୁ ନିମନ୍ତ୍ରଣ କରିଥିଲେ । ସାରା ଦୁନିଆ ଦେଖିଥିଲା ଏହି ଭବ୍ୟ ବାହାଘର । ସେହି ଦୁଇ ପୁଅ ଆଜି ବାପାଙ୍କ ମୃତ୍ୟୁ ବେଳେ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହେବେ ନାହିଁ । ତାଙ୍କ ନାତି ଅନ୍ତିମ ସଂସ୍କାରରେ ଯୋଗ ଦେବେ ବୋଲି କୁହାଯାଉଛି ।  କୁହାଯାଉଛି ଯେ, ସୁବ୍ରତ ରାୟଙ୍କ ଦୁଇ ପୁଅ ସୁଶାନ୍ତୋ ଏବଂ ସୀମାନ୍ତୋ ବିଦେଶରେ ଅଛନ୍ତି ।

ଏଥିପାଇଁ ସେମାନେ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ। ତାଙ୍କ ଦୁଇ ପୁଅଙ୍କ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସୁବ୍ରତ ଆଜି ଏକୁଟିଆ ହୋଇଯାଇଛନ୍ତି । ସେ ସମୟ ସୁବ୍ରତଙ୍କ ବହୁତ ଶକ୍ତିଶାଳୀ ଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ । ପରିସ୍ଥିତି ଏପରି ହୋଇଛି ଯେ ତାଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ନିଜ ପିଲାମାନେ ହିଁ ନାହାଁନ୍ତି। ଦିନ ଥିଲା ତାଙ୍କ ଦୁଆରେ ରାଜନେତାମାନେ ଭିଡ଼ ଲଗାଉଥିଲେ । ଆଉ ଆଜି ନିଜ ପୁଅ ତାଙ୍କୁ ଶେଷ ଦର୍ଶନ ପାଇଁ ଆସୁନାହାନ୍ତି । କମ୍ପାନୀର ଅବସ୍ଥା ଖରାପ ହେଲା ପରେ ସୁବ୍ରତ ରାୟଙ୍କ ଘନିଷ୍ଠ ବ୍ୟକ୍ତିମାନେ ତାଙ୍କୁ ଗୋଟିଏ ପରେ ଗୋଟିଏ ଛାଡିବାକୁ ଲାଗିଲେ। ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ଜେଲ ଯିବାକୁ ପଡିଲା ଏବଂ ଅନେକ ବଦନାମ ହେବାକୁ ପଡିଲା। ସୁବ୍ରତ ରାୟଙ୍କ କାମ ହିଁ ତାଙ୍କ ଉପରେ ଭାରି ପଡିଥିଲା।