ରିଲରୁ ରିୟଲ ହେଲା ‘ନାୟକ’ ଫିଲ୍ମର କାହାଣୀ, ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଛାତ୍ରୀ

ଉତ୍ତରାଖଣ୍ଡ: ଆଜି ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବେ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ। ଆଜି ବାଳିକା ଦିବସ ଅବସରରେ ଗୋଟିଏ ଦିନ ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି। ଉତ୍ତରାଖଣ୍ଡର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏ ନେଇ ଅନୁମତି ପ୍ରଦାନ କରିଛନ୍ତି। ସୃଷ୍ଟି ଏବେ ଉତ୍ତରାଖଣ୍ଡର ବାଲ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି।
ଶିଶୁକନ୍ୟାଙ୍କୁ ସଶକ୍ତ କରିବା ଏହି ବାଲ ବିଧାନସଭାର ଉଦ୍ଦେଶ୍ୟ। ସୃଷ୍ଟି ୨୪ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଉତ୍ତରାଖଣ୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ। ପ୍ରତ୍ୟେକ ବିଭାଗର ଅଧିକାରୀ ବିଭିନ୍ନ ଯୋଜନା ସମ୍ପର୍କରେ ୫ମିନିଟ୍ ଲେଖାଏଁ ପ୍ରେଜେଣ୍ଟେଶନ ଦେବେ। ଏହି କାର୍ଯ୍ୟକ୍ରମ ବିଧାନସଭା ଭବନରେ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମ ସମୟରେ ସରକାରୀ ଅଫିସରମାନେ ଉପସ୍ଥିତ ରହିବାକୁ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି।
ସୃଷ୍ଟି ଗୋସ୍ୱାମୀ କିଏ ?
ସୃଷ୍ଟି ଯୁକ୍ତ ୩ ବିଜ୍ଞାନ ଛାତ୍ରୀ । ତାଙ୍କ ବାପା ଏକ ଛୋଟ ଦୋକାନ ଚଳାଉଥିବା ବେଳେ ମା’ ଜଣେ ଅଙ୍ଗନୱାଡ଼ି କର୍ମଚାରୀ । ୨୦୧୮ରେ ସୃଷ୍ଟି ଉତ୍ତରାଖଣ୍ଡରେ ଶିଶୁ ବିଧାନସଭାର ଆଇନ ନିର୍ମାତା ଭାବରେ ମନୋନୀତ ହୋଇଥିଲେ । ସୃଷ୍ଟି ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ଅଛନ୍ତି, ଯାହା ଝିଅମାନଙ୍କୁ ପାଠପଢ଼ା ପାଇଁ ପ୍ରେରଣା ଦେଇଥାଏ ।