ପୁଣି ଆତଙ୍କବାଦୀ ଆକ୍ରମଣ, ଜଣେ ଏଏସଆଇ ଶହୀଦ

ପୁଲୱାମା: ପୁଣିଥରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଜଣେ ଯବାନ ଶହୀଦ । ଦକ୍ଷିଣ କାଶ୍ମୀର ପୁଲୱାମାର ଗୋଙ୍ଗୁ କ୍ରସିଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି । ସ୍ଥାନୀୟ ପୋଲିସ ଏବଂ ସିଆରପିଏଫର ଯବାନମାନେ ଚେକପୋଷ୍ଟରେ ଚେକିଂ କରିବା ସମୟରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସିଆରପିଏଫର ଜଣେ ଏଏସଆଇଙ୍କ ମୃତ୍ୟ ଘଟିଛି । ଆକ୍ରମଣ ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଉଛି ।

ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀମାନେ କ୍ରସିଂ ପାଖ ଏକ ସେଓ ବଗିଚାରୁ ଅଚାନକ ଗୁଳିମାଡ଼ କରିଥିଲେ । ଏହି ସମୟରେ ସିଆରପିଏଫ ଏଏସଆଇ ବିନୋଦ କୁମାର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଯାଞ୍ଚ କରା କରାଯାଉଛି ।

ସୂଚନାଥାଉକି ନିକଟରେ ଶ୍ରୀନଗରରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଚେକ ପୋଷ୍ଟରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ପୋଲିସ ଏଏସଆଇଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ କନେଷ୍ଟବଳ ଆହତ ହୋଇଥିଲେ । ଲଗାତାର ଆତଙ୍କବାଦୀ ଜମ୍ମୁ କାଶ୍ମୀରରେ ସକ୍ରିୟ ହେଉଛନ୍ତି । ସେନା ଉପରେ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଛନ୍ତି । ସେନା ପକ୍ଷରୁ ମଧ୍ୟ ଆତଙ୍କବାଦ ରୋକିବା ପାଇଁ ଲଗାତାର କାର୍ଯ୍ୟ କରାଯାଉଛି ।