ଓଡ଼ିଶାରୁ ପଳାଇଲା କି ଆଉ ଏକ କମ୍ପାନୀ ?
1 min read
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରୁ ପୁଣି ଏକ ଶିଳ୍ପ ସଂସ୍ଥା ମୁହଁ ଫେରାଇଥିବାର ଚର୍ଚ୍ଚା ଜୋର ଧରିଲାଣି। ନବୀନ ପଟ୍ଟନାୟକ ସରକାର ସମୟରେ ଚୁକ୍ତି ହୋଇଥିବା ସେମିକଣ୍ଡକ୍ଟର୍ କମ୍ପାନି ଆନ୍ଧ୍ର ପ୍ରଦେଶ ଚାଲିଯାଇଥିବା ସନ୍ଦେହ ଉପୁଜିବା ପରେ ବିବାଦ ମୁଣ୍ଡ ଟେକିଛି। ବାରମ୍ବାର ଶିଳ୍ପ ସଂସ୍ଥା ଓଡ଼ିଶାରୁ ମୁହଁ ଫେରାଉଥିବାରୁ ସରକାରଙ୍କ ଶିଳ୍ପ ନୀତିକୁ ନେଇ ପ୍ରଶ୍ନ ଉଠିଲାଣି। କାରଣ ୟୁକେର କମ୍ପାନୀ ଏସ୍ଆରଏଏମ୍ ଆଣ୍ଡ୍ ଏମ୍ଆରଏଏମ୍ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ ବି ଚୁକ୍ତି କଲେଣି।
ଓଡ଼ିଶା ସହ ୟୁକେର କମ୍ପାନୀ SRAM ଆଣ୍ଡ୍ MRAM କମ୍ପାନୀ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ୨୦୨୩ ମାର୍ଚ୍ଚ ୨୯ ତାରିଖରେ ଏ ନେଇ ତତ୍କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। କମ୍ପାନୀ ପ୍ରତିଷ୍ଠା ଗଂଜାମ ଜିଲ୍ଲା ଛତ୍ରପୁର ପାଖରେ ଚିହ୍ନଟ ହୋଇଥିଲା ୮୦୦ ଏକର ଜମି। ୧୬ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ, ପାଖରେ ଗୋପାଳପୁର ବନ୍ଦର ଓ ରଙ୍ଗେଇଲୁଣ୍ଡା ବିମାନବନ୍ଦର ଥିବାରୁ ସୁବିଧା ହେବ ବୋଲି ଏହି ସ୍ଥାନ ଚିହ୍ନଟ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ହଜାର କୋଟି ନିବେଶ କରିବାକୁ କମ୍ପାନୀ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା। ୨୦୨୫ ସୁଦ୍ଧା କାମ ଆରମ୍ଭ କରିବାର ଯୋଜନା ଥିଲା। ହେଲେ ସେହି କମ୍ପାନୀ ଛୁ ମାରିବାକୁ ବସିଥିବାର ସନ୍ଦେହ ଉପୁଜିଲାଣି। କାରଣ ଛତ୍ରପୁରରେ କାମ ତ ଆରମ୍ଭ ହୋଇନି, ସେପଟେ ସେହି କମ୍ପାନି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ସଂସ୍ଥା ଚୁକ୍ତିନାମା ସ୍ବାକ୍ଷର କରିଛି।
ଅମରାବତୀରେ ସେମିକଣ୍ଡକ୍ଟର୍ ଶିଳ୍ପ କରିବାକୁ ୨୫ହଜାର କୋଟି ନିବେଶ କରିବ SRAM ଆଣ୍ଡ୍ MRAM । ଏହା ଆଉ ଏକ ଚୁକ୍ତିନାମା ନା ସଂପୃକ୍ତ କମ୍ପାନୀ ଓଡ଼ିଶା ଛାଡ଼ିଲା, ତାହା SRAM ଆଣ୍ଡ୍ MRAM ସ୍ପଷ୍ଟ କରିନି। ହେଲେ ବାରମ୍ବାର ବିଭିନ୍ନ କମ୍ପାନୀ ଓଡ଼ିଶା ଛାଡ଼ିବାକୁ ଯୋଜନା କରୁଥିବାରୁ ପ୍ରଶ୍ନ କରିଛନ୍ତି ବିରୋଧୀ। କମ୍ପାନୀ ଫେରିଯିବା ଖବର ଆସୁଥିବା ବେଳେ ସରକାର କିପରି ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି। ନବୀନ ପଟ୍ଟନାୟକଙ୍କ ସମୟରେ ଭିତ୍ତିଭୂମି ଓ ଶାନ୍ତିର ବାତାବରଣ ଦେଖି ନିବେଶକ ଓଡ଼ିଶାମୁହାଁ ହେଉଥିଲେ। ହେଲେ ବିଜେପି ସରକାର ସମୟରେ ଓଡ଼ିଶାକୁ ନିବେଶକ ନିରାପଦ ମନେ କରୁ ନଥିବାରୁ ଫେରି ଯାଉଥିବା ବିଜେଡି ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି, ସରକାର କେବଳ ଭାଷଣବାଜିରେ ସୀମିତ। ଦୃଢ଼ ଭାବେ ଓଡ଼ିଶା ପାଇଁ ଦାବି କରିବାକୁ ସକ୍ଷମ ହେଉ ନାହାନ୍ତି। …
SRAM ଆଣ୍ଡ MRAM ଓଡ଼ିଶା ଛାଡ଼ିବ ନା ନାହିଁ, ସେ ନେଇ ରାଜ୍ୟ ସରକାରଙ୍କ ପାଖରେ ଖବର ନାହିଁ। ସେମିକଣ୍ଡକ୍ଟର୍ ଶିଳ୍ପକୁ ଗୁରୁତ୍ଵ ଦେଉଛନ୍ତି ସରକାର। ଓଡ଼ିଶାକୁ ଦୁଇଟି ନୂଆ କମ୍ପାନୀ ଆସୁଥିବା ସଫେଇ ଦେଇଛନ୍ତି। ଦୁର୍ଗା ପୂଜା ସମୟରେ ଗୋଟାଏ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ହେଲେ ଅନ୍ୟ କମ୍ପାନୀ କି SRAM ଆଣ୍ଡ୍ MRAM ଏ ନେଇ କୌଣସି ସ୍ପଷ୍ଟ ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି ଆଇଟି ମନ୍ତ୍ରୀ।
ପୂର୍ବରୁ ଜେଏସଡବ୍ଲୁ ଇଭି ଓଡ଼ିଶା ଛାଡ଼ିଛି। ଆର୍ସେଲର ମିତ୍ତର ଷ୍ଟିଲ ପ୍ଲାଣ୍ଟ ଓ ଓ୍ବାରି ସୋଲାର ପ୍ରକଳ୍ପ ବି ଆନ୍ଧ୍ରମୁହାଁ ହୋଇଥିଲେ। ବିଜେପି ସରକାର ଅମଳରେ ନିବେଶକଙ୍କୁ ସୁହାଇବା ପରି ବାତାବରଣ କରାଯାଉଥିବାର ଡିଣ୍ଡିମ ପିଟାଯାଉଛି। ହେଲେ ନିବେଶକମାନେ ଓଡ଼ିଶା ଛାଡ଼ୁଥିବାରୁ ପ୍ରାଶାସନିକ ସଙ୍କଟ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି।