ମୃତ୍ୟୁ ଏମିତି ବି ଆସେ! ଶ୍ବାସନଳୀରେ ମଟର ଦାନା ଅଟକି ଯିବାରୁ ଚାଲିଗଲା ଦେଢ଼ ବର୍ଷୀୟ ଶିଶୁର ଜୀବନ

ରାଞ୍ଚି: ମୃତ୍ୟୁ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ତେବେ ଅନେକ ସମୟରେ ବଡ଼ ବଡ଼ ଅଘଟଣରୁ ମଣିଷ ବର୍ତ୍ତି ଯାଉଥିବା ବେଳେ ସାମାନ୍ୟ ଘଟଣାରେ ଜୀବନ ଚାଲିଯାଇଥାଏ । ବିଶେଷ କରି ସାଧାରଣ ବୋଲି ଜଣାପଡ଼ୁଥିବା କୌଣସି ଛୋଟ ଖାଦ୍ୟ ସାମଗ୍ରୀ ମଧ୍ୟ ମଣିଷର ମୃତ୍ୟୁର କାରଣ ସାଜିପାରେ । ଅନୁରୂପ ଭାବେ ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ । ମଟର ଦାନା ପାଇଁ ଚାଲି ଯାଇଛି ଗୋଟିଏ କଅଁଳ ଶିଶୁର ଜୀବନ ଜୀବନ ।

ସାଧାରଣ ଭାବେ ଖାଦ୍ୟର ସ୍ବାଦ ବଢ଼ାଇବ ପାଇଁ ରୋଷେଇ ଘରେ ମଟର ଦାନାକୁ ବ୍ୟବହାର କରାଯାଇଥାଏ । ମାତ୍ର ସଭିଙ୍କର ଏହି ପ୍ରିୟ ସବଜି ଆଜି ଗୋଟିଏ ଦେଢ଼ ବର୍ଷର ଶିଶୁର ମୃତ୍ୟୁର କାରଣ ସାଜିଛି । ତେଣୁ କଞ୍ଚା ମଟର ଖାଇବା ବି ଅନେକ ସମୟ ଆପଣଙ୍କ ପାଇଁ ବିପଦ ସାଜିପାରେ । ଝାଡ଼ଖଣ୍ଡର ଲୋହରଦଗାରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ମଟର ଦାନା ଶିଶୁର ଶ୍ବାସ ନଳୀରେ ଅଟକି ଯାଇଥିଲା । ଫଳରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଶିଶୁଟିକୁ ବଞ୍ଚାଇବାକୁ ଡାକ୍ତର ପ୍ରାଣପଣେ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନଥିଲେ ।

ସୂଚନା ମୁତାବକ, ଶିଶୁଟିକୁ ପରିଜନମାନେ କ୍ଷେତକୁ ନେଇଯାଇଥିଲେ । ସେଠାରେ ଶିଶୁଟି ଖେଳିବା ସମୟରେ ମଟର ଗଛକୁ ଉପାଡ଼ି ଘରକୁ ନେଇଯାଇଥିଲା । ତା’ପରେ ଶିଶୁଟି ମଟର ଫଳକୁ ତୋଳି ତା’ର ଦାନାକୁ ଖାଇଦେଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ଉକ୍ତ ଦାନା ତା’ର ତଣ୍ଟିରେ ଅଟକି ଯାଇଥିଲା । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ  ତାକୁ ହସ୍ପିଟାଲ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।