ମା’-ବାପାଙ୍କ ମୃତଦେହ ସହ ୩ ଦିନ, ଭୋକ ଉପାସରେ ଥିଲା ୧୮ ମାସର ଶିଶୁ

ଗ୍ୱୋଲିୟର: ମା’ ବାପାଙ୍କ ମୃତଦେହ ନିକଟରେ ୩ ଦିନ ଧରି ଭୋକ ଉପାସରେ ପଡିରହିଥିଲା ୧୮ ମାସର ଛୁଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗ୍ୱୋଲିୟର ଅଞ୍ଚଳରେ ।

ସୂଚନା ଅନୁଯାୟୀ, ମୃତ ସୋନୁ ଓରଫ୍ ନୁର ଆଲମ୍ ସ୍ଥାନୀୟ ଏକ ସେଲୁନରେ କାମ କରୁଥିଲା । ତା’ର ୩ଟି ଛୁଆ ରହିଥିବା ବେଳେ ଅନେକ ସମୟରେ ପତ୍ନୀ ସହ ତା’ର ଝଗଡା ହେଉଥିଲା । ସେମାନଙ୍କ ଘର ଅନେକ ଦିନ ହେବ ବନ୍ଦ ରହିଥିବା ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା । ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଗ୍ୱୋଲିୟର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ କବାଟ ଭାଙ୍ଗି ଘର ଭିତରୁ ମୃତଦେହ ଜବତ କରିବା ସହ ୧୫ ମାସର ଶିଶୁକୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ପୋଲିସ ମୁତାବକ ମୃତଦେହ ୨ରୁ ୩ ଦିନ ପୁରୁଣା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ତେବେ ସୋନୁଙ୍କ ଅନ୍ୟ ଦୁଇ ପିଲା ଇଦ୍ ପାଳିବା ପାଇଁ ଜେଜେ ମା’ଙ୍କ ଘରକୁ ଯାଇଥିବା ସୂଚନା ମିଳିଛି । ଏନେଇ ନୁରଙ୍କ ମା’ କହିଛନ୍ତି ପୁଅ କିଛି କାମ କରେନି। ନିଶା ମଧ୍ୟ କରେ, ସେଥିପାଇଁ ଅନେକ ସମୟରେ ଘରେ ଝଗଡା ହୋଇଥାଏ।