ଦ୍ୱିତୀୟ ଦିନରେ ମହାନଦୀ ଟ୍ରିବ୍ୟୁନାଲ ଟିମର ଅନୁଧ୍ୟାନ, ବୁଲି ଦେଖିଲେ ଚିପିଲିମା ପାଓ୍ବାର ହାଉସ୍

1 min read

ସମ୍ବଲପୁର: ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ଦିନ । ଆଜି ଟ୍ରିବ୍ୟୁନାଲ ଟିମ୍ ଚିପିଲିମା ପାଓ୍ୱାର ହାଉସ୍ ବୁଲି ଦେଖିଛନ୍ତି । ଛତିଶଗଡ଼ ମହାନଦୀ ପାଣି ଅଟକାଇବା ଦ୍ୱାରା କ’ଣ ପ୍ରଭାବ ପଡ଼ିଛି, ସେସବୁର ଅନୁଧ୍ୟାନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍‌ ହୀରାକୁଦ ଡ୍ୟାମ୍ ସମେତ ଚିପଲିମା ପାୱାର ହାଉସ ଗସ୍ତ କରିବ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ ଖାନଉଇଲକରଙ୍କ ନେତୃତ୍ୱରେ ୩ ଜଣ ବିଚାରପତିଙ୍କ ସହ ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ ଟିମରେ ଅଛନ୍ତି । ଗତକାଲି ଏହି ଟିମ୍ ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସ, ବ୍ରାହ୍ମଣୀ ଓ ମହାନଦୀର ମିଳନ ସ୍ଥଳର ପ୍ଲାନ୍ ସହ କିଲାସମା ୱାଟର ପ୍ରୋଜେକ୍ଟକୁ ବୁଲି ଦେଖିଥିଲେ l

ଆଜି ଚିପଲିମା ପାୱାର ହାଉସ୍, ହୀରାକୁଦ କମାଣ୍ଡ ଏରିଆ, ବରଗଡ଼ ଓ ଅତାବିରା କେନାଲ ବୁଲିବେ ଟିମ୍ । ଚିପିଲିମା ପାଓ୍ବାର ହାଉସକୁ ଆସି ଏଠାରେ ହେଉଥିବା ବିଦ୍ୟୁତ ଉତ୍ପାଦନକୁ ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ୍ ନିର୍ମାଣ କରିବା ଦ୍ୱାରା ଓଡ଼ିଶାରେ ମହାନଦୀ ଜଳ କମିବାରେ ଲାଗିଛି । ଅଣ-ମୌସୁମୀ ସମୟରେ ମହାନଦୀ ଶୁଖିଲା ପଡ଼ିବା ଦ୍ୱାରା ଜୀବନଜୀବିକା ପ୍ରଭାବିତ ହେଉଛି । ରାଜ୍ୟ ସରକାର ଏ ସମ୍ପର୍କରେ ଟିମକୁ ଅବଗତ କରିଛନ୍ତି । ୨୩ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ବୁଲି ଦେଖିବେ ଟିମ୍ । ୨୪ ତାରିଖରେ ଟ୍ରିବ୍ୟୁନାଲ ଭୁବନେଶ୍ବର ଆସିବେ । ୨୫ ତାରିଖରେ ବିଶ୍ରାମ ପରେ ୨୬ରୁ ୨୮ ପର୍ଯ୍ୟନ୍ତ କଟକ ନରାଜ, ମୁଣ୍ଡଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି ।