ସୁଶୀଲ ନାଁରେ ସୁପାରୀ ଦେଇଛି ମାଫିଆ

ନନ୍ଦିଘୋଷ ବ୍ୟୁରୋ: ଖୋଲୁଛି କୁସ୍ତି ଯୋଦ୍ଧାଙ୍କ କଳଙ୍କିତ କାହାଣୀର ପୃଷ୍ଠା । ୨୩ ବର୍ଷିୟ ସାଗର ରାଣାଙ୍କର ମୃତ୍ୟୁ ମାମଲାରେ ଗିରଫ ହୋଇ ଏବେ ରିମାଣ୍ଡରେ ଅଲିମ୍ପିଆନ୍ ସୁଶୀଲ କୁମାର । ଦୁଇ ଥର ଅଲିମ୍ପିକ୍ସ ପଦକ ଜିତି ପ୍ରଶଂସା ସାଉଟିଥିବା ସୁଶୀଲଙ୍କ ପଛରେ ଯେ କଳା ଦୁନିଆର ଲିଙ୍କ ରହିଛି ବୋଧ ହୁଏ ଏକଥା କେହି ଭାବି ନଥିବେ । ଗିରଫ ପରେ ସାମ୍ନାକୁ ଆସୁଛି ସୁଶୀଲଙ୍କ ଅସଲ ରୂପ । କେବଳ କୁସ୍ତି ନୁହେଁ ଅପରାଧ ଜଗତରେ ବେଶ୍ ସକ୍ରିୟ ଥିଲେ ସୁଶୀଲ୍ । ସାଗର ହତ୍ୟାକାଣ୍ଡ ପଛରେ ଲୁଚିଛି କୁସ୍ତି ଯୋଦ୍ଧା ଓ ଅପରାଧୀଙ୍କ ପରଦା ପଛର ସମ୍ପର୍କର କାହାଣୀ । ମୋଷ୍ଟ ଓ୍ବାଣ୍ଟେଡଙ୍କ ଲିଙ୍କରେ ଥିଲେ ସୁଶୀଲ୍ । ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା ଏହି ଅଲମ୍ପିଆନ୍ ଅପରାଧ ଦୁନିଆରେ ମଧ୍ୟ ପାଦ ଥାପିଥିଲେ । ଛତ୍ରସାଲ୍ ଷ୍ଟଡିୟମ ଖୋଲିପାରେ ସୁଶୀଲଙ୍କ ଅସଲ ରୂପ । ହତ୍ୟାକାଣ୍ଡର ଖୁଲାସା ଭିତରେ ସାମ୍ନାକୁ ଆସିଛି ନୂଆ ନାଁ ସୋନୁ ମହଲ । ସୋନୁ ଘଟଣା ଦିନ ସାଗରଙ୍କ ସହିତ ଥିଲେ । ସେ ମଧ୍ୟ ସୁଶୀଲଙ୍କ ଆକ୍ରମଣରେ ଆହତ ହୋଇଥିଲେ। ତେବେ ସୋନୁ କାହିଁକି ଗୁରୁତ୍ବପୂର୍ଣ୍ଣ । ଏଠି କାହିଁକି ଉଠିଲା ସୋନୁଙ୍କ ନାଁ । ସୋନୁ ହେଉଛନ୍ତି ଦିଲ୍ଲୀ ଏବଂ ହରିୟାଣାର ମୋଷ୍ଟୱାଣ୍ଟେଡ ସନ୍ଦୀପ କାଲାଙ୍କ ଭଣଜା । ତା ନାମରେ ରହିଛି 19ଟି ଅପରାଧିକ ମାମଲା । ଅଭିଯୋଗ ହୋଇଛି ଯେ ସୁଶୀଲ କୁମାର ଓ ତାଙ୍କର ସହଯୋଗୀ ଛତ୍ରସାଲ ଷ୍ଟାଡିୟମରେ ସାଗର, ମୋଷ୍ଟ ଓ୍ବାଣ୍ଟେଡ୍ ସୋନୁ ଏବଂ ଅମିତଙ୍କୁ ଆକ୍ରମଣ କରିଥିଲେ।

ପ୍ରାଥମିକ ତଦନ୍ଦରୁ ଯେଉଁ ସତ୍ୟ ସାମ୍ନାକୁ ଆସୁଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଅଲମ୍ପିକ୍ସ ମେଡାଲ ଜିତିଥିବା ସୁଶୀଲ ସରକାରୀ ଚାକିରି କରିଥିଲେ । ଢେର ଆୟ କରୁଥିଲେ । ତଥାପି ଟଙ୍କା ଲୋଭ ତାଙ୍କୁ ଦିଲ୍ଲୀର କୁଖ୍ୟାତ ମାଫିଆ ସହିତ ମେଣ୍ଟ କରିବାକୁ ବାଧ୍ୟ କରିଥିଲା । ମିଳୁଥିବା ସୂଚନା ଅନୁସାରେ ସୁଶୀଲ ସୋନୁର ଦାଦା ସନ୍ଦୀପ କାଲା ଓରଫ କାଲା ଜଠଡି ସହିତ ମେଣ୍ଟ କରିଥିଲେ । ଜବରଦସ୍ତ ଜମି କବଜା କରିବା,ଦିଲ୍ଲୀରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଥିବା ସବୁ ଟୋଲ ପ୍ଲାଜାକୁ ନିଜ ନିୟନ୍ତ୍ରଣକୁ ନେବା ଥିଲା ଉଭୟଙ୍କ ଲକ୍ଷ୍ୟ । ଯେଉଁ ଫ୍ଲାଟକୁ ନେଇ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ସେହି ଫ୍ଲାଟ୍ ମଧ୍ୟ ସନ୍ଦିପ ଟଙ୍କାରେ କିଣା ଯାଇଥିଲା । ସନ୍ଦିପ ଓ ସୁଶୀଲଙ୍କ ମଧ୍ୟରେ ସବୁକିଛି ଠିକ ଚାଲୁଥିଲା । କିନ୍ତୁ ଏହା ଭିତରେ ସୁଶୀଲ ଅଧିକ ଟଙ୍କା ଲୋଭରେ ସନ୍ଦିପର ପ୍ରତିଦ୍ୱନ୍ଦ୍ୱୀ ନିରଜ ବାୱାନିଆ ସହ ସମ୍ପର୍କ ସ୍ଥାପନ କରିଥିଲେ ।

ସନ୍ଦିପ ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ସନ୍ଦିପକୁ ସନ୍ଦେଶ ଦେବା ପାଇଁ ସୁଶୀଲ ସୋନୁ ଓ ସାଗରର ଅପହରଣ କରିଥିବା କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ, ମାରପିଟର ଭିଡିଓ ସୁଶୀଲ ନିଜେ ସୁଟ୍ କରିଥିଲେ ।ସନ୍ଦିପକୁ ଭିଡିଓ ଦେଖାଇ ଚ୍ୟାଲେଂଜ୍ କରିବା ଥିଲା ଭିଡିଓ ସୁଟର ଲକ୍ଷ୍ୟ ।
ସୁଶୀଲ ଗଲା ୧୮ ଦିନ ହେଲା ଫେରାର ହେବା ପଛରେ ପୋଲିସର ଯେତିକି ଡର ନଥିଲା ସେତିକ ଡର ସନ୍ଦିପ ପଟୁଥିଲା । ସନ୍ଦିପ କାଳେ ପ୍ରତିଶୋଧ ନେବ ସେଥିପାଇଁ ସେ ଲୁଚି ବୁଲୁଥିଲେ । ଏମିତିକି ଗିରଫ ହେବା ପରେ ପୋଲିସକୁ ସୁଶୀଲଙ୍କ ଗୋଟିଏ ଅନୁରୋଧ ଥିଲା ଯେ ତାଙ୍କୁ ଜେଲରେ ସନ୍ଦିପ ଗ୍ୟାଙ୍ଗର ସଦସ୍ୟଙ୍କ ଠାରୁ ସୁରକ୍ଷା ଦିଆଯାଉ । କୁହାଯାଉଛି ଯେ, ଏହି ୧୮ ଦିନ ମଧ୍ୟରେ ସୁଶୀଲ ସନ୍ଦିପ ସହ ବୁଝାମଣା କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ସନ୍ଦିପ,ସୁଶୀଲ ଓ ତାଙ୍କ ସାଥୀଙ୍କୁ ହତ୍ୟା କରିବା ପାଇଁ ନିଜ ଲୋକଙ୍କୁ ସୁପାରୀ ଦେଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି ।

ଏବେ ଆସନ୍ତୁ ଜାଣିବା ସନ୍ଦିପ ପରେ ଯେଉଁ ନୀରଜ ସହିତ ସୁଶୀଲ ସମ୍ପର୍କ ସ୍ଥାପନ କରିଥିଲେ ତା’ର ହିଷ୍ଟ୍ରୀ କ’ଣ । ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ନୀରଜ ବାୱାନିଆ । ଦିଲ୍ଲୀ ଅଣ୍ଡରୱାର୍ଲଡ ଉପରେ ଚାଲେ ନୀରଜର ଏକଛତ୍ର ଶାସନ । ନୀରଜକୁ ୨ବର୍ଷ ପୂର୍ବେ ଦିଲ୍ଲୀ ପୋଲିସ ପକ୍ଷରୁ ଗିରଫ କରାଯାଇଛି । କିନ୍ତୁ ଜେଲରୁ ନୀରଜ ତାଙ୍କ ଗ୍ୟାଙ୍ଗ ଚଳାଉଥିବା ଜଣାପଡିଛି । ନୀରଜ ବାୱାନିଆ ଏବଂ ତାଙ୍କ ଗ୍ୟାଙ୍ଗ ବର୍ତ୍ତମାନ ସୁଶୀଲଙ୍କ ସହିତ ରହିଥିବା ସୂଚନା ମିଳିଛି । ସାଗରଙ୍କୁ ଆକ୍ରମଣସ୍ଥଳରୁ ଯେଉଁ ସ୍କର୍ପିଓ ଗାଡି ମିଳିଥିଲା ତାହା ନୀରଜ ବାୱାନିଆଙ୍କ ସମ୍ପର୍କୀୟଙ୍କ ନାଁରେ ରହିଛି । ଏଥିରୁ ନୀରଜ ଏବଂ ସୁଶୀଲଙ୍କ ସମ୍ପର୍କ ଥିଲା ବୋଲି ପ୍ରମାଣ ମିଳୁଛି । ତେବେ ପୁରା ମାମଲା ଏବେ ଗୋଳେଇଘାଣ୍ଟି ହୋଇଯାଇଛି । ଏହାବି ସୂଚନା ମିଳୁଛି କି ଦିଲ୍ଲୀରେ ଜମି ଦଲାଲି ମାମଲାରେ କୁସ୍ତି ଯୋଦ୍ଧା ମାନେ ସଂପୃକ୍ତ ଅଛନ୍ତି । ବ୍ୟବସାୟୀମାନେ ସୁଧ ବେପାରରେ ମଧ୍ୟ ଏହି ପହିଲମାନଙ୍କୁ ବ୍ୟବହାର କରିଥାନ୍ତି । ପୋଲିସ କହିବା ଅନୁସାରେ ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ ସୁଧ କାରବାର କରନ୍ତି ।

ଯେତେବେଳେ କେହି ଟଙ୍କା ଫେରସ୍ତ ନକରନ୍ତି, କୁସ୍ତିଯୋଦ୍ଧାଙ୍କ ସାହାଯ୍ୟରେ ଆକ୍ରମଣ ହୁଏ । ସୁଶୀଲଙ୍କର ଏହିଭଳି ଅନେକ ଅପରାଧୀଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥିବା ଆଲୋଚନା ହେଉଛି । ହତ୍ୟାକାଣ୍ଡ ପଛରେ ଅପରାଧୀକ ପୃଷ୍ଠଭୂମି ରହିଥିବାର ଆଭାସ ମଧ୍ୟ ମିଳୁଛି । ଅନ୍ୟପକ୍ଷରେ ସାଗର ଏବଂ ସୋନୁ, ସୁଶୀଲଙ୍କ ଫ୍ଲାଟରେ ଭଡା ରହୁଥିଲେ। ଶୁସୀଲଙ୍କ କହିବା ପରେ ମଧ୍ୟ ଉଭୟ ଫ୍ଲାଟ ଖାଲି କରିବାକୁ ମନା କରିଦେଇଥିଲେ। ଏହା ପରେ ସୁଶୀଲ ଏବଂ ତାର ସହଯୋଗୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ପରେ ପଞ୍ଜାବ ଅଭିମୁଖେ ଯାତ୍ରା କରିଥିଲେ ସୁଶୀଲ୍ । ନିଜ ପାଖରେ ଫୋନ ମଧ୍ୟ ରଖୁନଥିଲେ । ପୁରା ଘଟଣା ଏବେ କୁସ୍ତି ଯୋଦ୍ଧାଙ୍କୁ ବିବାଦରେ ଠିଆ କରିଦେଉଛି । ଯଦି ସୁଶୀଲ ଏ ମାମଲାରେ ସଂପୃକ୍ତ ନଥିଲେ ତେବେ କାହିଁ ଫେରାର୍ ହୋଇଯାଇଥିଲେ । ତାଙ୍କର ଆଚରଣ ହିଁ ଅପରାଧର ପ୍ରମାଣ ଦେଇଥିଲା । ତେବେ କିଏ ଏସାଗର ? ସୁଶୀଲ ସହିତ ତାର ସମ୍ପର୍କ କଣ ? ସୁଶୀଲ ହେଉଛନ୍ତି ସାଗରଙ୍କର ଗୁରୁ ।

ସାଗର ନିଜେ ଜଣେ କୁସ୍ତି ଯୋଦ୍ଧା ଥିଲେ । ସେ ସୁଶୀଲଙ୍କଠାରୁ କୁସ୍ତି ଶିକ୍ଷା ଗ୍ରହଣ କରୁଥିଲେ । ସାଗର ସୁଶୀଙ୍କ ପତ୍ନୀ୍ଙ୍କ ଫ୍ଲାଟରେ ମଧ୍ୟ ରହୁଥିଲେ । ଅଭିଯୋଗ ହୋଇଛି ଯେ ଫ୍ଲାଟ ଭଡାକୁ ନେଇ ଉଭୟଙ୍କ ମଧ୍ୟରେ ଆକ୍ରମଣରୁ ଏହି ହତ୍ୟାକାଣ୍ଡ ଘଟିଛି । ନିଜର ସହଯୋଗୀଙ୍କ ସହିତ ସାଗରଙ୍କୁ 4 ମେ ରାତିରେ ମାଡ ମାରିଥିଲେ ଶୁସୀଲ୍ । ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣା ପଛରେ କିଛି ଲୁଚି ଯାଉଥିବା ସାଗରଙ୍କ ବାପା ଅଭିଯୋଗ କରିଛନ୍ତି । ସୁଶିଲଙ୍କ ଗ୍ୟାଙ୍ଗଷ୍ଟର ଲିଙ୍କର ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ତେବେ ଏହି ଆକ୍ରମଣ ପଛରେ ରହିଛି କି ଗ୍ୟାଙ୍ଗ ଓ୍ବାର ? ତଦନ୍ତ ପରେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି

Leave a Reply