ସ୍କୁଲରୁ କଲେଜ, ଡାକ୍ତରଖାନାରୁ ମିଶନ ଶକ୍ତି କାଫେ; ଦ୍ବିତୀୟ ଦିନରେ ସୁନ୍ଦରଗଡ଼ରେ 5ଟି ସଚିବଙ୍କ ଅବିଶ୍ରାନ୍ତ ସମୀକ୍ଷା

1 min read

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲୋକଙ୍କ ପାଖରେ ପ୍ରଶାସନ, ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ । ସମସ୍ୟାର ଅନ ଦି ସ୍ପଷ୍ଟ ସମାଧାନ। ସୁନ୍ଦରଗଡ଼ ସମୃଦ୍ଧିର ଯାତ୍ରାରେ ଫାଇଭ-ଟି ସଚିବଙ୍କ ନନଷ୍ଟପ ରିଭ୍ୟୁ। ସ୍କୁଲରୁ କଲେଜ, ଡାକ୍ତରଖାନାରୁ ମିଶନ ଶକ୍ତି କାଫେ। ସୁନ୍ଦରଗଡ଼ ଗସ୍ତର ଦ୍ବିତୀୟ ଦିନରେ ସାରା ଜିଲ୍ଲାରେ ଅବିଶ୍ରାନ୍ତ ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ରାଜଗାଙ୍ଗପୁର ବ୍ଲକ ଘୋଘରରେ ପହଞ୍ଚିଥିଲେ ଫାଇଭ-ଟି ସଚିବ। ଘୋଘରେଶ୍ବର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରି ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।

ପରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସମନ୍ଵିତ ଭୌତିକ ଚିକିତ୍ସା ବିଭାଗର ସ୍ଥିତି ଅନୁଧ୍ୟାନ କରି ରୋଗୀଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ରାଜଗାଙ୍ଗପୁର ରେଲଓ୍ବେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ପାଣ୍ଡିଆନଙ୍କ ସମୀକ୍ଷା ପରେ ଓଭରବ୍ରିଜ ନିର୍ମାଣ ଆଶା ଉଜ୍ଜ୍ବଳ ହୋଇଛି। ସେଠାରୁ ବେଲସରା ଯାଇ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିପରେ ହେମଗିରିରେ ମିଶନ ଶକ୍ତି କାଫେରେ ଜଳଖିଆ କରିଥିଲେ ଫାଇଭ-ଟି ସଚିବ। ପରେ ପଞ୍ଚାୟତ ସମିତି ଜୁନିୟର କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ଦେଓଭୁବନପୁରରେ କୁକୁଡ଼ାନଳା ଡ୍ୟାମ ସ୍ଥିତିର ଅନୁଧ୍ୟାନ କରିଥିଲେ। ସେଠାରୁ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍ମାର୍ଟ କ୍ଲାସ ରୁମରେ ପିଲାଙ୍କ ସହ ସମୟ ବିତାଇଥିଲେ ଫାଇଭ-ଟି ସଚିବ। ସୁନ୍ଦରଗଡ଼ର ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଫାଇଭ-ଟି ସଚିବ। ସେବାୟତ ଓ ମନ୍ଦିର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରୁ ଗୁରଲିଜୋର ନାଳ ନିକଟରେ ପହଞ୍ଚିଥିଲେ ପାଣ୍ଡିଆନ ।

ନିର୍ମାଣାଧୀନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ସୁନ୍ଦରଗଡ଼ ପାରିଜାତ ପାର୍କର ସୌନ୍ଦର୍ଯ୍ୟକରଣ ନେଇ ସମୀକ୍ଷା କରିଥିଲେ। ପରେ ସୁନ୍ଦରଗଡ଼ ସ୍ପୋର୍ଟ୍ସ ହଷ୍ଟେଲରେ ତାଲିମ ନେଉଥିବା ହକି ଖେଳାଳିଙ୍କ ବେଶ୍ କିଛି ସମୟ ବିତାଇଥିଲେ ଫାଇଭ-ଟି ସଚିବ । ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ। ପିଲାଙ୍କ ଫଟୋ ଉଠାଇ ଭବିଷ୍ୟତରେ ଶ୍ରେଷ୍ଠ ଖେଳାଳି ହେବାକୁ ପରାମର୍ଶ ଦେଇଥିଲେ । ସେଠାରୁ ସୁନ୍ଦରଗଡ଼ ପ୍ରଗତି ମଣ୍ଡପରେ ପହଞ୍ଚିଥିଲେ ଭିକେ ପାଣ୍ଡିଆନ ।

ସୁନ୍ଦରଗଡ଼ର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ସଂଗଠନଙ୍କ ସହ ଆଲୋଚନା କରି ଦାବି ଶୁଣିଥିଲେ। ଛ ମାସ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ। ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରୁଥିବାରୁ ଫାଇଭ-ଟି ସଚିବଙ୍କୁ ପ୍ରଶଂସା କରିଛନ୍ତି ସୁନ୍ଦରଗଡ଼ବାସୀ । ଗ୍ରାଉଣ୍ଡରେ ଏଭଳି ଅନୁଧ୍ୟାନ ଦ୍ବାରା ଜିଲ୍ଲାର ବିକାଶ ଶିଖରରେ ପହଞ୍ଚିବ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି ।