ପ୍ରବାସୀଙ୍କ ପାଇଁ ଖୁବଶୀଘ୍ର ଆସିବ ନୂଆ ଧରଣର ଇଭିଏମ

ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଲାଗି ଖୁବ୍ ଶୀଘ୍ର ଆସିବ ନୂଆ ଧରଣର ଇଲେକ୍ଟ୍ରୋନିକ ଭୋଟିଂ ମେସିନ । ଦୂରାନ୍ତରେ ରହୁଥିବା ପ୍ରବାସୀମାନେ ଅନେକ ସମୟରେ ଭୋଟ ଦେଉନାହାନ୍ତି । ଏପରିକି ଦେଶର ଏକ ତୃତୀୟାଂଶ ଲୋକ ଦୂରଦୂରାନ୍ତରେ ବାସ କରୁଥିବାରୁ ସେମାନେ ଭୋଟ ଦେଇନଥାନ୍ତି । ଏନେଇ ଚିନ୍ତିତ ଥିବା ଭାରତର ନିର୍ବାଚନ ଆୟୋଗ ଏହି ନୂଆ ଇଭିଏମ ପ୍ରଚଳନ ଲାଗି ଆଶା ବାନ୍ଧିଛନ୍ତି । ଏହି ନୂଆ ଧରଣର ଇଭିଏମକୁ ବ୍ୟବହାର କରିବା ସକାଶେ ବିଭିନ୍ନ ରାଜନୈତିକ ଦଳକୁ ଅନୁରୋଧ କରିଛନ୍ତି ଇସିଆଇ ।

ଏହା ସହ ନୂଆ ଇଭିଏମର ଆଇନଗତ ଓ ବୈଷୟିକ ଦିଗ ଉପରେ ପର୍ଯ୍ୟାଲୋଚନା କରିଛନ୍ତି । ମଲ୍ଟି କନଷ୍ଟିଚୁଏନସି ରିମୋଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବା ଆରଭିଏମରେ ପ୍ରାୟ ୭୨ଟି ନିର୍ବାଚନ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ପ୍ରୋଗ୍ରାମିଂ କରାଯାଇଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ୬୭ ଦଶମିକ ୪ ପ୍ରତିଶତ ନାଗରିକ ଭୋଟ ଦେଇଥିଲେ । ଅର୍ଥାତ ୩୦ କୋଟି ଲୋକ ଭୋଟ ଦେଇ ନଥିଲେ ।

ଅନେକ ସମୟରେ ପ୍ରବାସୀମାନେ ଅସ୍ଥାୟୀ ସ୍ଥାନରେ ନିଜ ନାମ ପଞ୍ଜିକରଣ କରିବା ଲାଗି ଅନିଚ୍ଛୁକ ଥାଆନ୍ତି । ଏହାରି ମୂଳରେ ରହିଥାଏ ସାମାଜିକ ଓ ଅନ୍ୟାନ୍ୟ କାରଣ । କାର୍ଯ୍ୟ, ବିବାହ ଓ ଶିକ୍ଷାଗତ କାରଣରୁ ଭାରତରେ କୋଟି କୋଟି ଲୋକେ ନିର୍ବାଚନ ସମୟରେ ନିଜ ସ୍ଥାନକୁ ଆସିପାରନ୍ତି ନାହିଁ କି ମତାଧିକାର ସାବ୍ୟସ୍ତ କରିପାରନ୍ତି ନାହିଁ ।

ଏପରିକି ମୋଟ ପ୍ରବାସୀଙ୍କ ମଧ୍ୟରୁ କେବଳ ରାଜ୍ୟ ଭିତରେ ହିଁ ଏହି ହାର ହୋଇଥାଏ ୮୫ ପ୍ରତିଶତ । ଏହି ନୂଆ ପଦକ୍ଷେପ ନିର୍ବାଚନଭିତ୍ତିକ ଗଣତନ୍ତ୍ର ଲାଗି ଏକ ରୂପାନ୍ତରଣ ହେବ ବୋଲି କହିଛନ୍ତି ସିଇସି ରାଜୀବ କୁମାର । ଆସନ୍ତା ୧୬ରେ ଏହି ମେସିନର ଡେମା କରାଯିବ ଏବଂ ଏଥିରେ ସାମିଲ ହେବ ବୈଷୟିକ ବିଶେଷଜ୍ଞ କମିଟି । ଏକ୍ଷେତ୍ରରେ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ମତାମତ ଦେବା ଲାଗି ରାଜନୈତିକ ଦଳଙ୍କୁ ଆହ୍ବାନ କରାଯାଇଛି ।