ଛତିଶଗଡ଼ର ମନମାନି: ଶୁଖୁଛି ମହାନଦୀ, ପ୍ରାଚୀନ ସଂସ୍କୃତି ବୋଇତ ବନ୍ଦାଣକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ବୋଇତ ବନ୍ଦାଣ ପରମ୍ପରା ବେଳେ ନଦୀରେ ଜଳସ୍ତର କମି କମି ଯାଉଥିବା ନେଇ ଛତିଶଗଡ଼ର ମାନମାନି କଥା ଉଠାଇଛି କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସରକାର ହସ୍ତକ୍ଷେପ କରିବାକୁ ଆହ୍ୱାନ ଦିଆଯାଇଛି । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ଟ୍ରିପଲ ଇଞ୍ଜିନ ସରକାର ଏହାକୁ ଗୁରୁତ୍ୱ ନ ଦେବାରୁ ବିଭିନ୍ନ ସଂଗଠନ ବ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ନୌବାଣିଜ୍ୟ ପରମ୍ପରା ଓ ଧର୍ମର ଅନନ୍ୟ ସ୍ବାକ୍ଷର ବହନ କରୁଥିବା କାର୍ତ୍ତିକ ପୂର୍ଣ୍ଣିମାରେ ଲୋକେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟର ପ୍ରମୁଖ ଜଳାଶୟ ଓ ପବିତ୍ର ସ୍ଥାନରେ ଡଙ୍ଗା ଭସାଇଛନ୍ତି ଲୋକେ । ଏସବୁ ଭିତରେ ଉଠିଛି ରାଜ୍ୟର ନଦୀଗୁଡିକରେ ଜଳାଭାବର କଥା । ଛତିଶଗଡ଼ର ମାନମାନି ଯୋଗୁଁ ମହାନଦୀରେ ଓଡିଶା ନିଜର ହକ ପାଉ ନଥିବା ବେଳେ ନଦୀ ଶୁଖି ଶୁଖି ଯାଉଛି । ବୋଇତ ଚାଲିବା ପାଇଁ ପୂର୍ବରୁ ନଦୀ ଗୁଡିକରେ ଯେତିକି ଜଳ ରହୁଥିଲା ଏବେ ତାହା କମି ଯାଇଛି । ଯାହାକୁ ନେଇ ସଂସ୍କୃତି ଓ ଐତିହ୍ୟକୁ ରକ୍ଷା କରିବାକୁ କାର୍ଯ୍ୟ କରୁଥିବା କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ଚିନ୍ତା ବ୍ୟକ୍ତ କରିଛି । ବୋଇତ ବନ୍ଦାଣ ଉତ୍ସବ ପାଳନ କରି ଐତିହ୍ୟ ସଂସ୍କୃତି ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଏହି ମଞ୍ଚ ଆଗାମୀ ଦିନରେ ନଦୀରେ ଜଳ ବିନା କିଭଳି ଏସବୁ ପରମ୍ପରା ଓ ପ୍ରକୃତିକୁ ରକ୍ଷା କରାଯାଇ ପାରିବ ତାକୁ ନେଇ ଚିନ୍ତା ପ୍ରକଟ କରିଛି । ବର୍ତ୍ତମାନ ସରକାର ଏହାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେପଟେ ରାଜ୍ଯ ବିଜେପି ସରକାର ଓ ଖୋଦ ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିବାଦ ସମାଧାନ କଥା କହୁଥିଲେ ମଧ୍ୟ ଏହା କିପରି କରାଯିବ ତାହାକୁ ସାର୍ବଜନୀନ କରିବାକୁ ଦାବି କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ମହାନଦୀ ଓ ବିଭିନ୍ନ ଶାଖା ନଦୀର ଜଳସ୍ତର କମିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ନୀରବତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ସରକାରଙ୍କୁ ସମାଲୋଚନା କରିଛି ଆମ ଜନତା ଅଧିକାର । ଓଡ଼ିଶାରେ ବିଜେପି ସରକାର ଆସିଲେ ମହାନଦୀ ସମସ୍ୟା ସମାଧାନ ହେବ ବୋଲି କୁହାଯାଉଥିଲା । ଏବେ ୩ଟି ଜାଗାରେ ବିଜେପି ସରକାର । ତେଣୁ ଏ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଛି ସରକାର ତୁରନ୍ତ ଏ ସମ୍ପର୍କରେ ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି ହୋଇଛି । ଛତିଶଗଡ଼ ସରକାର ଯେଉଁଭଳି ଭାବେ କର୍ପୋରେଟ ହାଉସ ଓ କମ୍ପାନୀଙ୍କୁ ଜଳ ବିକ୍ରି କରିଦେଇଛି ତେଣୁ ଏହି ସମସ୍ୟାର ସମାଧାନ ସହଜ ନୁହେଁ । ଓଡ଼ିଶାର ହୀରାକୁଦ ଡ୍ୟାମରେ ଜଳସ୍ତର କମୁଥିବା ବେଳେ ମହାନଦୀ ଜଳ ପ୍ରବାହ ବହୁ ପରିମାଣର କମୁଛି । ଏନେଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛି ନାଗରିକ ସୁରକ୍ଷା ମଞ୍ଚ । ସେପଟେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବୁନାଲର ଅଧ୍ୟକ୍ଷ ପଦ ଫାଙ୍କା ପଡିଥିବା ବେଳେ ସରକାରୀ ସ୍ତରରେ ବି ହେଉନାହିଁ କୌଣସି ଆଲୋଚନା ।