ଶିନା ବୋରା ହତ୍ୟା ମାମଲାର ଉତ୍ତର ରଖିଲା ସିବିଆଇ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ସ୍ୱତନ୍ତ୍ର କୋର୍ଟ ନିକଟରେ ଉତ୍ତର ଦାଖଲ କରିଛି ସିବିଆଇ । ଶିନା ବୋରା ଜୀବିତ ଥିବା ନେଇ ତାଙ୍କ ମା’ ତଥା ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ଦାବି କରିବା ପରେ ସିବିଆଇ ନିଜ ପକ୍ଷ ରଖିଛି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ମାମଲାର ହେବ ଶୁଣାଣି । ଶିନା ବୋରା ହତ୍ୟାକାଣ୍ଡ ପରେ ଗତ ୨୦୧୫ରୁ ଜେଲରେ ଅଛନ୍ତି ଇନ୍ଦ୍ରାଣୀ । କନ୍ୟା ଶିନା ବୋରା ଜୀବିତ ଅଛନ୍ତି ଏବଂ ଜାମ୍ମୁ ଓ କାଶ୍ମୀରର ଏକ ଅଞ୍ଚଳରେ ସେ ରହୁଥିବା ସମ୍ପର୍କରେ ଜଣେ ଜେଲ୍ ଅନ୍ତେବାସୀ ତାଙ୍କୁ କହିଥିବା ନେଇ ଦାବି କରିଥିଲେ ଇନ୍ଦ୍ରାଣୀ । ଏହି ବିସ୍ଫୋରକ ବୟାନ ପରେ ସିବିଆଇ କୋର୍ଟଙ୍କ ବିନା ନିର୍ଦ୍ଦେଶରେ ଆଗେଇ ପାରିବ ନାହିଁ ବୋଲି ଦର୍ଶାଇଥିଲା ।

ସେପଟେ ଇନ୍ଦ୍ରାଣୀଙ୍କ ଜାମିନ ଆବେଦନର ଶୁଣାଣି କରିବା ଲାଗି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟ ସିବିଆଇର ପ୍ରତିକ୍ରିୟା ଚାହିଁଛନ୍ତି । ଇନ୍ଦ୍ରାଣୀଙ୍କ ଆବେଦନ ଅନୁସାରେ, ଜଷ୍ଟିସ ଏଲ. ନାଗେଶ୍ବର ରାଓଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସିବିଆଇକୁ ନୋଟିସ ଜାରି କରିଛନ୍ତି । ପୂର୍ବରୁ କନ୍ୟା ଶିନା ବୋରା ଜୀବିତ ଥିବା ନେଇ ମୁମ୍ବାଇର ଏକ କୋର୍ଟକୁ ଜଣାଇଥିଲେ । ଇନ୍ଦ୍ରାଣୀଙ୍କ ଜାମିନ ଲାଗି ସୁପ୍ରିମକୋର୍ଟରେ ଲଢୁଛନ୍ତି ବରିଷ୍ଠ ଆଇନଜୀବନ ମୁକୁଲ ରୋହତଗୀ । କନ୍ୟା ଶିନା ବୋରାଙ୍କୁ ମା’ ଇନ୍ଦ୍ରାଣୀ ହତ୍ୟା କରିଥିବାର ପ୍ରମାଣ ଥିବାବେଳେ ଶିନା କିପରି ଜୀବିତ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଶିନା ବୋରାଙ୍କୁ ହତ୍ୟା କରିବା ଅଭିଯୋଗରେ ଗତ ୨୦୧୫ରେ ମା’ ଇନ୍ଦ୍ରାଣୀ, ତାଙ୍କର ସ୍ବାମୀ ପିଟର ମୁଖାର୍ଜୀ ଓ ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନା ଗିରଫ ହୋଇଥିଲେ ।

Leave a Reply