ଗୁରୁଦିବସରେ ଗର୍ଜିବେ ଶିକ୍ଷକ, ରାଜଧାନୀରେ ହେବ ବିଶାଳ ଶିକ୍ଷକ ସମାବେଶ

ଭୁବନେଶ୍ବର: ଗୁରୁଦିବସରେ ରାଜଧାନୀରେ ହେବ ବିଶାଳ ଶିକ୍ଷକ ସମାବେଶ । ପାଞ୍ଚ ଦଫା ଦାବି ପୂରଣ ନହେଲେ ପବିତ୍ର ଗୁରୁଦିବସରେ ରାଜଧାନୀରେ ଗର୍ଜିବେ ଶିକ୍ଷକ । ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକମାନଙ୍କୁ ପେନସନ୍ ପ୍ରଦାନ ଦାବିରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ ହେବାକୁ ଯାଉଛି । ଏନେଇ ସମନ୍ବୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି ।
ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍, ଅବସରକାଳୀନ ସୁବିଧା, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ସହିତ ୫ ଦଫା ଦାବି ପୁରଣ ନିମନ୍ତେ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ପ୍ରତିବାଦରେ ଏ ସମାବେଶ ହେବାକୁ ଯାଉଛି । ଗୁରୁ ଦିବସରେ ହଜାର ହଜାର ଶିକ୍ଷକ କଂଗ୍ରେସଭବନ ସମ୍ମୁଖ ରାଜରାସ୍ତାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପି.ଏମ୍.ଜି. ଅଭିମୁଖେ ଅଗ୍ରସର ହେବେ । ବିଧାନସଭା ସମ୍ମୁଖ ଗାନ୍ଧିମାର୍ଗରେ ସଭା ଅନୁଷ୍ଠିତ ହେବା ସହିତ ଅହୋରାତ୍ର ଧାରଣା ଜାରି ରହିବ ।