ମଦ ପିଇ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଦଳି ଦାବିରେ ଆନ୍ଦୋଳନ

1 min read

ମାଲକାନଗିରି: ମଦ ପିଇ ଚିକିତ୍ସା କରୁଛନ୍ତି ଡାକ୍ତର । ଲୋକଙ୍କ ମଧ୍ୟରେ ଅସନ୍ତୋଷ । ତୁରନ୍ତ ଡାକ୍ତରଙ୍କୁ ବଦଳି କରିବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ଆନ୍ଦୋଳନ । ଏମିତି ଦାବି ନେଇ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇକୋଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଞ୍ଚଳବାସୀ କରିଛନ୍ତି ଆନ୍ଦୋଳନ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ୮ ବର୍ଷ ଧରି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଅଛନ୍ତି ଡାକ୍ତର ମଡାଇ ଟୁଡୁ । ପ୍ରତିଦିନ ମଦ୍ୟପାନ କରି ନିଶାଶକ୍ତ ଅବସ୍ତାରେ ସେ ଡ୍ୟୁଟି କରିବାକୁ ଆସୁଛନ୍ତି । ନିଶାଶକ୍ତ ଅବସ୍ଥାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଏମିତି ସ୍ଥିତିରେ ଭୟରେ ଲୋକେ ରୋଗୀଙ୍କୁ ତାଙ୍କ ପାଖକୁ ନେଉନାହାନ୍ତି କି ସେ ପ୍ରେସକ୍ରାଇବ କରୁଥିବା ଔଷଧ ଖାଉନାହାନ୍ତି କି ଇଞ୍ଜେକ୍ସନ ନେଉନାହାନ୍ତି ।

ଅନ୍ୟପଟେ ସାମନ୍ୟ ଜ୍ବର, ଥଣ୍ଡା ଓ କାଶ ପାଇଁ ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ କୌଣସି ଔଷଧ ମିଳୁନାହିଁ । ନିଜର ଆର୍ଥିକ ଫାଇଦା ପାଇଁ ଏମଭି-୮୮ ଗାଁରେ ଥିବା ଏକ ନିର୍ଦ୍ଧିଷ୍ଟ ଔଷଧ ଦେକାନକୁ ରୋଗୀଙ୍କୁ ପଠା ଯାଉଥିବ ଅଭିଯୋଗ ହୋଇଛି । ସାମାନ୍ୟ ରୋଗ ପାଇଁ ୨ ରୁ ୩ ହଜାର ଟଙ୍କାର ଔଷଧ କିଣିବା ଲାଗି ରୋଗୀଙ୍କୁ ଡାକ୍ତର ମଡାଇ ଟୁଡୁ ବାଧ୍ୟ କରୁଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ମହାରାଜପଲ୍ଲୀ ପଞ୍ଚାୟତ ଅଧୀନରେ ଥିବା ୫ଟି ଗାଁର ଆଦିବାସୀ ଲୋକେ ଏକାଠି ହୋଇ ବୈଠକ କରିବା ସହ ଡାକ୍ତରଙ୍କ ବଦଳି ଦାବି କରିଛନ୍ତି । ତେବେ ଅଭିଯୋଗ ନେଇ ଡାକ୍ତରଙ୍କ ମତାମତ ମିଳିପାରିନାହିଁ ।