ଯୋଗୀ ରାଜରେ ଅସୁରକ୍ଷିତ ଉତ୍ତରପ୍ରଦେଶ, ୨୦୦୫ ବିଧାୟକ ହତ୍ୟା ଘଟଣାରେ ମୁଖ୍ୟ ସାକ୍ଷୀକୁ ଦିନ ଦିପହରେ ହତ୍ୟା

ଲକ୍ଷ୍ନୌ: ଯୋଗୀ ରାଜ୍ୟରେ ଚାଞ୍ଚଲ୍ୟ । ଦିନ ଦିପହରେ ମର୍ଡର । ୨୦୦୫ରେ ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପଲଙ୍କୁ ପ୍ରୟାଗରାଜରେ ହତ୍ୟା । ଫିଲ୍ମ ଷ୍ଟାଇଲରେ ଗୁଳି ମାଡ଼ ପରେ ବୋମାମାଡ଼ କଲେ ଅପରାଧୀ । ଏମିତି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ମାଫିଆ ବୋଲି କହିଥିଲେ । ଏଥିସହ ସେମାନଙ୍କୁ ମାଟିରେ ମିଶାଇ ଦେବି ବୋଲି କହିଛନ୍ତି ଯୋଗୀ । ଉମେଶ ପଲଙ୍କୁ ଗତକାଲି ପ୍ରୟାଗରାଜସ୍ଥିତ ଘରେ ବୋମା ମାଡ଼ କରି ହତ୍ୟା କରାଯାଇଛି । ଏହି ସମୟରେ ଗୁଳି ବିନିମୟରେ ଜଣେ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଛି । ପୂର୍ବତନ ସାଂସଦ ଅଟିକ୍ ଅହମ୍ମଦଙ୍କ ସାନଭାଇ ଖଲିଦ ଆଜିମଙ୍କୁ ପରାସ୍ତ କରି ନିର୍ବାଚନରେ ଆହ୍ଲାବାଦ ବିଧାନସଭା ଆସନ ଜିତିବାର କିଛି ମାସ ପରେ ରାଜୁ ପଲଙ୍କୁ ହତ୍ୟା କରାଯାଇଥିଲା ।

ରାଜୁ ପଲ ହତ୍ୟା ମାମଲାରେ ଅଟିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଆଶରଫ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି । ପୋଲିସର ଅନୁସାରେ, ଆକ୍ରମଣକାରୀମାନେ କ୍ରମାଗତ ଭାବେ ଉମେଶ ପଲଙ୍କ କାରକୁ ପିଛା କରିଥିଲେ । ସେମାନଙ୍କ ବ୍ୟାଗରେ ବୋମା ଆଣିଥିଲେ । ଗୋଟିଏ ଭିଡିଓ କ୍ଲିପ୍‌ରେ ଜଣେ ଅଭିଯୁକ୍ତ ତାଙ୍କ ବ୍ୟାଗରୁ ବୋମା ବାହାର କରି ଉମେଶ ପଲଙ୍କୁ ଫିଙ୍ଗିବାର ନଜର ଆସିଛି । ଆଜି ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଯୋରଦାର ହଙ୍ଗାମା ହୋଇଥିଲା । ନିଜ ରାଜ୍ୟରେ ବି କେହି ସୁରକ୍ଷିତ ନାହାନ୍ତି ବୋଲି ଅଖିଳେଶ ଯାଦବ କହିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ସମାଜବାଦୀ ପାର୍ଟି ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରୁଛି । ସେମାନଙ୍କୁ ଫୁଲମାଳ ସହିତ ସ୍ୱାଗତ କରୁଛି ।