୨୩ରେ ସ୍ଥାନାନ୍ତର ହେବ ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଦୁକ

1 min read

ପୁରୀ:  ଆସନ୍ତା ୨୩ରେ ସ୍ଥାନାନ୍ତର ହେବ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଓ ସିନ୍ଦୁକ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ଖାଲି ଆଲମିରା ଓ ସିନ୍ଦୁକଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ l ଏହି ଦିନ ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି  l

୨୩ ତାରିଖ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏରୁ  ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ଓ ମୂଲ୍ଯବାନ ସାମଗ୍ରୀ ସ୍ଥାନାନ୍ତରଣ ହୋଇସାରିଛି ।