ଓମିକ୍ରନ୍ ଆତଙ୍କ, ବ୍ରିଟେନରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ବିଶ୍ୱରେ ୩୮ରୁ ଅଧିକ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି ଓମିକ୍ରନ୍। ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଏବେ ଦକ୍ଷିଣ ଆଫ୍ରିକା ସହ ଆମେରିକା, ବ୍ରିଟେନ୍, ୟୁରୋପ ଏବଂ ଭାରତରେ ଦ୍ରୁତ ଗତିରେ ମାଡି ଚାଲିଛି । ସବୁଠାରୁ ବଡ଼ କଥା ହେଉଛି ବ୍ରିଟେନରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଲାଣି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ମଧ୍ୟ ବ୍ରିଟେନରେ ଓମିକ୍ରନରେ ସଂକ୍ରମିତ ହେଉଛନ୍ତି ।

ୟୁକେ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ୍ ଜାବେଦ ସଂସଦରେ କହିଛନ୍ତି କି ଦେଶରେ କରୋନାର ନୂଆ ଭାରିଆଣ୍ଟର ୩୩୬ କେସ୍ ସାମ୍ନାକୁ ଆସିଛି । ଇଂଲଣ୍ଡରେ କରୋନାର ଗୋଷ୍ଠୀ ସଂକ୍ରମଣ ମଧ୍ୟ ଆରମ୍ଭ ହୋଇସାରିଛି । ଇଂଲଣ୍ଡରେ ଏପର୍ଯ୍ୟନ୍ତ ୨୬୧ ମାମଲା ସାମ୍ନାକୁ ଆସିଛି । ସେହିପରି ସ୍କଟଲାଣ୍ଡରେ ୭୧ ଏବଂ ଓ୍ୱେଲ୍ସରେ ୪ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି ବୋଲି ସଂସଦରେ କହିଛନ୍ତି ସାଜିଦ୍ ଜାବେଦ । ସଂସଦରେ ସାଜିଦ୍ ଜାବେଦ ଆହୁରି କହିଛନ୍ତି କି ଅଧିକାଂଶ କେସ୍ ଏମିତି ରହିଛି କି ଯେଉଁମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ତେବେ ଆମେ ଏହାକୁ ଦେଖି କହୁଛୁ କି ବ୍ରିଟେନର କିଛି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି । ଜାବେଦ ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ଜାରି ହୋଇଥିବା ଡାଟାକୁ ମଧ୍ୟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁସାରେ ଓମିକ୍ରନର ସମୟସୀମା ଡେଲଟା ଭାରିଆଣ୍ଟଠାରୁ କମ୍ ବୋଲି କୁହାଯାଇଛି । ସେ ଆହୁରି କହିଛନ୍ତି କି ଏପର୍ଯ୍ୟନ୍ତ ଏହା ମଧ୍ୟ ଜଣାପଡ଼ିନାହିଁ କି ଓମିକ୍ରନ୍ ଭାରିଆଣ୍ଟ କେତେ ଭୟଙ୍କର ଏବଂ ଟୀକା ଏହି ଭାରିଆଣ୍ଟ ଉପରେ କେତେ ପ୍ରଭାବ ପକାଇବ ।

ଅନ୍ୟପକ୍ଷରେ ମଙ୍ଗଳବାରଠାରୁ ବ୍ରିଟେନ ଆସୁଥିବା ସମସ୍ତ ଲୋକ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟ ବୋଲି କୁହାଯାଇଛି । ସେମାନେ ଟୀକାର ଦୁଇଟି ଡୋଜ୍ ନେଇଥିଲେ ମଧ୍ୟ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟ । ଅନପଟେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି କି ଓମିକ୍ରନ୍ ଡେଲଟା ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପିଥାଏ ।

Leave a Reply