ଭାରତରେ ୪୦୦ ପାର କଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍

1 min read
New Sub Variant Of Omicron Spotted In India

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୧୭ଟି ରାଜ୍ୟରେ ୪୧୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୦୮ରେ ପହଞ୍ଚିଛି । ସେହିପରି ଦିଲ୍ଲୀରୁ ୭୯, ଗୁଜରାଟରୁ ୪୩, ତେଲେଙ୍ଗାନାରୁ ୩୮ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କେରଳରେ ନୂଆ ଭାରିଆଣ୍ଟରେ ୩୭ ଓ ତାମିଲନାଡୁରେ ୩୪ ଜଣ ସଂକ୍ରମିତ ହୋଇଛନ୍ତି । ୪୧୫ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ ସୁସ୍ଥ ହେଲେଣି । ସଂକ୍ରମିତଙ୍କ ମଧ୍ୟରୁ ୭୦ପ୍ରତିଶତଙ୍କ ନିକଟରେ କୌଣସି ଲକ୍ଷଣ ନଥିବାବେଳେ ୯୧ଜଣ ସମ୍ପୂର୍ଣ୍ଣ ଡୋଜ ଟିକା ନେଇଥିଲେ । ଓମିକ୍ରନ କେସ୍ ବଢ଼ୁଥିବାରୁ ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ମଧ୍ୟ କଟକଣା ଲଗାଯାଇଛି । ଏଥିସହ କିଛି ରାଜ୍ୟ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ।

ତେବେ ଓମିକ୍ରନରେ ଅଧିକ ପ୍ରଭାବିତ ହୋଇଥିବା ୧୦ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ । ଏହି ସବୁ ରାଜ୍ୟରେ ଚାଲିଥିବା ଟିକାକରଣ ପ୍ରକ୍ରିୟା ସମେତ ଅନ୍ୟାନ୍ୟ ନିରାକରଣ ପଦକ୍ଷେପ ସମ୍ପର୍କରେ ଏହି ଟିମ୍ ସମୀକ୍ଷା କରିବେ । ଯେଉଁ ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ଗସ୍ତ କରିବେ ସେହି ରାଜ୍ୟଗୁଡିକ ହେଉଛି କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ ପଞ୍ଜାବ । ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଜୋନ ପରିଚାଳନା, ଟେଷ୍ଟିଂ, ଟିକାକରଣ, ଜିନୋମ ସିକ୍ୱେନ୍ସିଂ, ହସ୍ପିଟାଲ ପରିଚାଳନା, ଶଯ୍ୟା ସଂଖ୍ୟା, ଭେଣ୍ଟିଲେଟର, ଆମ୍ବୁଲାନ୍ସ, ଅକ୍ସିଜେନ ପ୍ରସଙ୍ଗରେ ଏହି ଟିମ୍ ସମୀକ୍ଷା କରିବେ ।

 

 

 

Leave a Reply