ସଙ୍କଟରେ ବିଶ୍ବ, ନୂଆବର୍ଷକୁ ସ୍ବାଗତ ପାଇଁ ନାହିଁ ଉତ୍ସହ

ନୂଆଦିଲ୍ଲୀ: କେଇ ଘଣ୍ଟା ପରେ ଆସିବ ନୂଆ ବର୍ଷ । ମାତ୍ର ସାରା ବିଶ୍ବରେ ଏବେ ଆନନ୍ଦ ବଦଳରେ ସଙ୍କଟର କଳାବାଦଲ । ନା ଅଛି ସେଲିବ୍ରେସନ, ନା ଅଛି ଉତ୍ସାହ । ଗତବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିବା କୋଭିଡ ବିପତ୍ତିର ଅବସାନ ନେଇ ସାରା ବିଶ୍ବବାସୀ ଆଶା କରୁଥିବା ବେଳେ, ଏବେ ସେସବୁକୁ ଛାରଖାର କରିଦେଇଛି ଓମିକ୍ରନ ।

ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୨୮ କୋଟି ୬୮ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ବିଶ୍ବବ୍ୟାପୀ ୫୪ ଲକ୍ଷ ୪୫ ହଜାର ଲୋକଙ୍କ ଜୀବନ ନେଲାଣି କିଲର ଭାଇରସ । କୋଟି କୋଟି ଲୋକଙ୍କୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି କୋଭିଡ । ନୂଆ ରୂପରେ ଭାରିଆଣ୍ଟ ଆସିବା ସହ ଓମିକ୍ରନ ବିପଦ ଯୋଗୁଁ ଆମେରିକା, ବ୍ରିଟେନ, ଫ୍ରାନସ, ଜର୍ମାନୀ ସମେତ ଅଧିକାଂଶ ଦେଶରେ କଟକଣା ଆରମ୍ଭ ହୋଇଛି । ଗତ ୭ ଦିନରେ ବିଶ୍ବରେ ଚିହ୍ନଟ ହୋଇଛନ୍ତି ୭୩ ଲକ୍ଷ ନୂଆ ସଂକ୍ରମିତ ।

ସାରା ୟୁରୋପରେ ଏବେ ଉଭୟ କୋଭିଡ ଓ ଓମିକ୍ରନର କଳାବାଦଲ । ସମସ୍ତ ପ୍ରକାର ସଭା, ସମ୍ମିଳନୀ ଉପର କଟକଣା ଲାଗୁ କରାଯାଇଥିବା ବେଳେ ଅଧିକାଂଶ ଦେଶରେ ବନ୍ଦ ରହିଛି ନାଇଟ କ୍ଲବ । ଆମେରିକାରେ ଗତ ୭ ଦିନରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୬୫ ହଜାରରୁ ଅଧିକ କୋଭିଡ ସଂକ୍ରମିତ । ସେପଟେ ଚୀନର ଜିଆନରେ ଜାରି ହୋଇଛି ଲକଡାଉନ । ଘରୁ ପଦାକୁ ବାହାରିବା ଉପରେ ୧୩ ନିୟୁତ ଲୋକଙ୍କ ଉପରେ ଲାଗିଛି କଟକଣା । ସେହିପରି ବ୍ରିଟେନରେ ଅତି ଗଭୀର ସଙ୍କଟର ରୂପ ନେଲାଣି ଭାଇରସ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୩ ହଜାରରୁ ଅଧିକ କୋଭିଡ ସଂକ୍ରମିତ । ଯାହାକି ପୂର୍ବ ଦିନ ତୁଳନାରେ ୩୨ ପ୍ରତିଶତ ଅଧିକ । ଦେଶର ସମସ୍ତ ହସ୍ପିଟାଲକୁ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply