ବିମାନ ଯାତ୍ରୀଙ୍କ ପାଇଁ ଅଧିକ ସଂକ୍ରାମକ ଓମିକ୍ରନ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ । ଓମିକ୍ରନ ଆତଙ୍କ ବଢ଼ୁଥିବାବେଳେ ଏହାକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଓମିକ୍ରନ ପାଇଁ ବିମାନ ଯାତ୍ରୀଙ୍କୁ ଚେତାବନୀ ଦିଆଯାଇଛି । ନୂଆ ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ଏବଂ ଅତିଶୀଘ୍ର ବିମାନଯାତ୍ରୀଙ୍କୁ ସଂକ୍ରମିତ କରିଥାଏ ବୋଲି କହିଛନ୍ତି ଆନ୍ତର୍ଜାତିକ ବିମାନ ପରିବହନ ସଂଗଠନର ମେଡିକାଲ ପରାମର୍ଶଦାତା ଡାଭିଡ ପୋଓ୍ୱେଲ । ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଅତି ନିକଟରୁ କଥାବାର୍ତ୍ତା ହେବା, ବାରମ୍ବାର ଅନ୍ୟକୁ ସ୍ପର୍ଶ କରିବା, ପାଖାପାଖି ହୋଇ ବସିବା ଆଦି ନ କରିବା ସହ ମାସ୍କ ବ୍ୟବହାର କରିବା ଜରୁରୀ ବୋଲି ସେ କହିଛନ୍ତି ।

ଏୟାର ନ୍ୟୁଜିଲାଣ୍ଡର ପୂର୍ବତନ ମେଡିକାଲ ଅଫିସର ପୋଓ୍ୱେଲ କହିଛନ୍ତି ଡେଲଟା ତୁଳନାରେ ଓମିକ୍ରନ ସଂକ୍ରମଣ ଦୁଇ ତିନିଗୁଣ ବୃଦ୍ଧି ପାଇବା ପରିଲିକ୍ଷିତ ହେଉଛି । ସାଧାରଣ ବିମାନ ତୁଳନାରେ ଆଧୁନିକ ବିମାନଗୁଡିକରେ ଲାଗିଥିବା ହସ୍ପିଟାଲ ଗ୍ରେଡର ଏୟାର ଫିଲଟର ଏହି ସଂକ୍ରମଣକୁ ହ୍ରାସ କରିଥାଏ । ଅଧିକ ଯାତ୍ରୀ ବସୁଥିବା ଇକୋନୋମିକ କ୍ୟାବିନ ତୁଳନାରେ ବିଜନେସ କ୍ଲାସ ଅପେକ୍ଷାକୃତ ନିରାପଦ ଅଟେ । ବିଶ୍ୱର ବିଭିନ୍ନ ଦେଶକୁ ଚଳାଚଳ କରୁଥିବା ତିନି ଶହରୁ ଅଧିକ ବିମାନକୁ ନେଇ ଗଠିତ ଏହି ସଂଗଠନ ପକ୍ଷରୁ ସତର୍କବାଣୀ ଦିଆଯାଇଛି ।

Leave a Reply