ଓଲିଉଡ୍‌ କୁଇନ୍‌ ବର୍ଷାଙ୍କ ‘ଆମ ପାଠାଗାର’ ଅଭିଯାନ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ କୁଇନ୍‌ ବର୍ଷା ପ୍ରିୟଦର୍ଶିନୀ । ଆରମ୍ଭ କଲେ ‘ଆମ ପାଠାଗାର’ ଅଭିଯାନ । ଅସହାୟ ଓ ଗରିବ ପିଲାଙ୍କୁ ପାଠପଢ଼ିବାରେ ସହଯୋଗ କରିବା ପାଇଁ ବର୍ଷା ଆରମ୍ଭ କରିଛନ୍ତି ଏହି ଅଭିଯାନ ।

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଶୁଭାରମ୍ଭ ହୋଇଛି ବର୍ଷାଙ୍କ ‘ଆମ ପାଠାଗାର’ କାର୍ଯ୍ୟକ୍ରମ । ଶିଶୁର ବୌଦ୍ଧିକ ବିକାଶ ଲାଗି ଆଜିର ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ବହିର ଆବଶ୍ୟକତା ରହିଛି । ବହିରୁ କେବଳ ଶିଶୁକୁ ଶିକ୍ଷା ନୁହେଁ ସୁମଣିଷ ହୋଇ ସମାଜରେ ପ୍ରତିଷ୍ଠା ଲାଭ କରିବାର ବାଟ ଫିଟିଥାଏ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠିତ ଲେଖକ ଦାସ ବେହେନୁର ଏହା କହିଛନ୍ତି ।

ଓଡ଼ିଶାରେ ପାଠାଗାର ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ସ୍ୱର୍ଗତ ଦାଶରଥି ପଟ୍ଟନାୟକ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କିପରି ପ୍ରତ୍ୟେକ ପିଲାଙ୍କ ପାଖରେ ପାଠାଗାରରେ ପଢ଼ିବାର ସୁବିଧା ଯୋଗାଇ ଦିଆଯାଇପାରିବ, ସେନେଇ ପ୍ରୟାସ ଆରମ୍ଭ କରିଛନ୍ତି ବର୍ଷା । ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ଲାଇବ୍ରେରୀ କରାଯିବ ଏବଂ ଏହି ଲାଇବ୍ରେରୀ ନିମନ୍ତେ ବିଭିନ୍ନ ସ୍ଥାନରୁ ପୁସ୍ତକ ଗୁଡିକ ସଂଗ୍ରହ କରାଯିବ । ଏହା ଦ୍ୱାରା ପଢିବାକୁ ଇଛୁକ ଥିବା ବ୍ୟକ୍ତି ସହଜରେ ପଢ଼ିପାରିବେ । ବର୍ଷାଙ୍କ କହିବାନୁଯାୟୀ ଏହି ଅଭିଯାନର ମୂଳ ଲକ୍ଷ ହେଉଛି, ଯେପରି କୌଣସି ବି ଛାତ୍ରଛାତ୍ରୀ ପଢ଼ିବାରୁ ବଞ୍ଚିତ ନହୁଅନ୍ତି ।

Leave a Reply