ଜୀବନର ଅପରାହ୍ନରେ ବି ମଉଳି ନଥିଲା ହସର କୃଷ୍ଣଚୂଡ଼ା, ଏମିତି ଥିଲା ଦୀପାଙ୍କ ଶେଷ ହସ

ଭୁବନେଶ୍ୱର: ହସ ଲୁହ ଭରା ଏ ଜୀବନ । ଜୀବନର ପଲ୍ଲାରେ ଗୋଟେ ପଟେ ହସ ଏବଂ ଅନ୍ୟ ପଟେ ଲୁହ । କେତେବେଳେ ହସର ପଲ୍ଲା ଭାରି ହୁଏ ତ ପୁଣି କେତେବେଳେ ଲୁହର । ଗୋଟିଏ ସୁନ୍ଦର ହସ ମଣିଷକୁ ଆହୁରି ସୁନ୍ଦର କରିଥାଏ । ଅନେକ କଷ୍ଟରେ ମଧ୍ୟ ସମସ୍ତଙ୍କୁ ସାନ୍ତ୍ୱନା ଦେବା ପାଇଁ ତା ମୁହଁରେ ହସକୁ ଆବୋରି ନେଇଥାଏ ଏ ଜୀବନ । ହସ କେତେବେଳେ ମରମ ତଳର ଫୁଲ ବଣ ପାଲଟେ ତ ପୁଣି କେତେବେଳେ ବିରହ ବନର ସଜ ପ୍ରୀତି ପାରିଜାତ । ଆଉ କେତେବେଳେ ବ୍ୟଥା ଏବଂ ବେଦନାର ଅମୃତ ପରସ ମଧ୍ୟ ପାଲଟେ ।

କେହି କେହି ହସକୁ ଖୋଜି ପାଆନ୍ତିନି ତ ପୁଣି କିଏ ହସକୁ ଜୀବନର ଶେଷ ପର୍ଯ୍ୟନ୍ତ ମୁହଁରେ ଜାବୁଡ଼ି ଧରି ବୁଲନ୍ତି । ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ସେହି କ୍ଷଣିକ ହସ ସମସ୍ତଙ୍କୁ ତା ପୁଟୁଳିରେ ବାନ୍ଧି ପକାଏ । ଆମେ ଆଜି ସେହିଭଳି ଏକ ହସକୁ ଆପଣଙ୍କ ସାମ୍ନାକୁ ଆଣିବୁ । ଯେଉଁ  ହସର ମହମ ସିନା ତରଳି ଯାଇଛି କିନ୍ତୁ ଏବେବି ଦିକଦିକ ହୋଇ ଜଳୁଛି ସମସ୍ତଙ୍କ ମନରେ ।

ହସ କେତେବେଳେ ଦୁଃଖର ଘୋଡ଼ଣୀ ପାଲଟେ ତ ପୁଣି କେତେବଳେ ମନର ରାଣୀ । ଏହି ହସ ଟିକକ ଯାହା ପାଖରେ ଥାଏ ସେ ମନ ତୃପ୍ତତାର ମର୍ଯ୍ୟାଦା ପାଏ । ବୋଧେ ସେଥିପାଇଁ ସମସ୍ତଙ୍କର ମନକୁ ଜିଣି ପାରିଥିଲେ ସେ । ସେତ ଥିଲେ ଓଡ଼ିଆ ଆଲବମ ଜଗତର କୁଇନ । କିନ୍ତୁ ତାଙ୍କର ସାଇତା ମନ ଭିତରେ ଆଉ ଗୋଟେ ହତିଆର ଥିଲା ତାଙ୍କର ହସ । ଯେଉଁ ହତିଆରରେ ସେ ମାରିଚାଲିଥିଲେ ଦୁଃଖର ଶତ୍ରୁକୁ । ଆମେ କହୁଛୁ ଦୀପା ସାହୁଙ୍କ କଥା । ୯୦ ଦଶକରେ ସମସ୍ତଙ୍କ ମନରେ ଘର କରିଥିବା ଶ୍ୟାମଳବର୍ଣ୍ଣୀ ସୁନ୍ଦରୀ ଦୀପା । ମେଡ ଇନ୍‌ ଓଡ଼ିଶା ଠାରୁ ଆରମ୍ଭ କରି ତୋର ଲମ୍ବା ବେଣୀ ଭଳି ଅନେକ ସୁପରହିଟ ଗୀତ ଦେଇଛନ୍ତି ଓଡ଼ିଆ ଦର୍ଶକଙ୍କୁ । ଯାହାଙ୍କ ଗୀତ ମନରେ ମନକୁ ଚାଲିଆସେ ଫାଙ୍କା ସମୟରେ । ହେଲେ ସମସ୍ତଙ୍କ ମନରେ ରାଜ କରୁଥିବା ଦୀପା ଏବେ ଅନ୍ଧାରୀ ମୂଲକରେ ମିଳେଇ ଯାଇଛନ୍ତି । ପରପାରିକୁ ଚାଲିଯାଇଛନ୍ତି ଦୀପା ।

ଦୀପାଙ୍କ ଟ୍ରିଟମେଣ୍ଟ ବେଳର ଫଟୋକୁ ଟିକେ ଭଲସେ ଦେଖନ୍ତୁ । ବୋଧେ ଏ ହେଉଛି ତାଙ୍କର ଶେଷ ହସ। ଜୀବନର ଅପରାହ୍ନରେ ବି ବୁଣି ଚାଲିଥିଲେ ହସର ମଞ୍ଜି । ମୁହଁରେ ସାଇତି ରଖିଥିବା ହସର ହତିଆରରେ ମାରି ଚାଲିଥିଲେ କଷ୍ଟର କୋହକୁ । କଷ୍ଟ କ୍ୟାନସରର । କଷ୍ଟ କ୍ୟାନସରରେ ଦିଆଯାଉଥିବା କେମୋ ଥେରାପିର । କଷ୍ଟ ତାଙ୍କ ପରେ ୧୨ ବର୍ଷ ଝିଅର ଏକୁଟିଆ ପଣର । କଷ୍ଟ ପରିବାରକୁ ହରାଇବାର । କିନ୍ତୁ ସେ ଏତେ କଷ୍ଟ ମଧ୍ୟରେ ବି ହସର ପୁଟୁଳି ଭିତରେ ଆବୋରି ନେଇଥିଲେ ସବୁ ଦୁଃଖକୁ । ଏବଂ ଦୁଃଖର ପାହାଡ଼ରେ ଫୁଠାଇ ଚାଲିଥିଲେ ହସର କୃଷ୍ଣଚୁଡ଼ା । ସତରେ ଦୀପା ତୁମ ହସ କେତେ ସୁନ୍ଦର  ।

Leave a Reply