ପ୍ରକୃତିଙ୍କୁ ବିଚ୍‌ରାସ୍ତାରେ ଦୁର୍ବ୍ୟବହାର କଲେ ବାବୁସାନ୍‌ଙ୍କ ପତ୍ନୀ, ଦର୍ଶକ ସାଜିଲେ ଫ୍ୟାନ୍ସ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା । ଲୋକପ୍ରିୟ ଅଭିନେତା ବାବୁସାନଙ୍କ ପାରିବାରିକ ବିବାଦ ବିଚ୍‌ ରାସ୍ତାରେ ଦେଖିବାକୁ ମିଳିଛି  । ବାବୁସାନ ଓ ଅଭିନେତ୍ରୀ ପ୍ରକୃତିଙ୍କୁ ନେଇ ପତ୍ନୀ ତୃପ୍ତିଙ୍କ ହାଇଡ୍ରାମା । ଆଜି ସକାଳୁ ରାଜଧାନୀର ଏକ ଗଳିରେ ହଠାତ୍‌ ପତି ବାବୁସାନଙ୍କ କାର ଅଟକାଇ ଥିଲେ ତୃପ୍ତି । ବାବୁସାନଙ୍କ ସାର୍ଟ କଲର୍‌ ଧରି ଗାଡ଼ିରୁ ଘୋଷାଡି ଓହ୍ଲାଇବାକୁ କହିଥିଲେ ପତ୍ନୀ ତୃପ୍ତି ।

କେବଳ ଏତିକି ନୁହେଁ ତାଙ୍କ ସାଙ୍ଗରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବି ଦେଖି ଉତକ୍ଷିପ୍ତ ହୋଇ ଉଠିଥିଲେ ତୃପ୍ତି । ପ୍ରକୃତିଙ୍କୁ ବି ସେ ଛାଡି ନଥିଲେ । ତାଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିଥିଲେ ପତ୍ନୀ ତୃପ୍ତି । ପ୍ରକୃତି ଯେତେ ବି ନେହୁରା ହୋଇଥିଲେ ତାଙ୍କୁ ଅସଦାଚରଣ କରି ଚାଲିଥିଲେ ତୃପ୍ତି  । ବିଚ୍‌ ରାସ୍ତାରେ ଗୋଡାଇ ଗୋଡାଇ ସେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଚାଲିଥିଲେ ।

କୌଶଳକ୍ରମେ ତୃପ୍ତିଙ୍କ କବଳରୁ ବର୍ତ୍ତିବା ପାଇଁ ପ୍ରକୃତି ଗାଡିରୁ ଖସି ଯାଇ ଦୌଡି ପଳାଇଥିଲେ । ତଥାପି ପ୍ରକୃତିଙ୍କୁ ଗୋଡାଇ ଥିଲେ ତୃପ୍ତି । ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଏକ ହାଇଡ୍ରାମା ।

ଆଶ୍ଚର୍ଯ୍ୟର କଥା ଯେ ଏପରି ହାଇଡ୍ରାମାର ମଜା ଉଠାଇଥିଲେ ରାଜଧାନୀବାସୀ  । ସେଲଫି ନେବା ସହ ଭିଡିଓ ସୁଟିଂ କରିଥିଲେ ବି ଏପରି ଘଟଣାକୁ ଅଟକାଇ ନଥିଲେ ।  ଝଗଡାର କାରଣ ଜଣାପଡିନଥିଲେ ବି ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।