ବିଦେଶ ଅତିଥୀଙ୍କ ପାଇଁ ଚଳଚଞ୍ଚଳ ଗଞ୍ଜାମ: ଆରମ୍ଭ ହୋଇଛି ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା

ଗଞ୍ଜାମ: ମାଇଲ ଦୂରରୁ ଛୁଟି ଆସିଛନ୍ତି ଅଲିଭ ରିଡଲେ । ଆରମ୍ଭ ହୋଇଛି ଏହି ବିରଳ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା । ଏଥିପାଇଁ ଚଳଚଞ୍ଚଳ ଗଞ୍ଜାମ ଋଷିକୂଲ୍ୟା ମୁହାଣ । ଅନୁକୂଳ ପାଗ ସହ ଦକ୍ଷିଣା ପବନ ଯୋଗୁ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରି ସମୁଦ୍ରକୁ ଫେରୁଛନ୍ତି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଏହି କଇଁଛମାନେ ଉପରକୁ ଉଠିଆସି ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପର୍ଯ୍ୟଟକ, ପରିବେଶବିତ୍ ମହଲରେ ଖୁସି ପ୍ରକାଶ ପାଇଥିବାବେଳେ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।
ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । କୁକୁର, ବିଲୁଆଙ୍କ ଠାରୁ ସୁରକ୍ଷା ଦେବାକୁ ଲଗାଜାଇଛି ତାରଜାଲି । କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ର ମଧ୍ୟକୁ ଫେରି ଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । ୨୦୨୪ ରେ ଗଣଅଣ୍ଡାଦାନ ହୋଇନଥିବା ବେଳେ ଚଳିତବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବା ଦେଖାଦେଇଛି । ଏଥିପାଇଁ ଗତବର୍ଷ ନଭେମ୍ବର ୧ ଠାରୁ ଚଳିତବର୍ଷ ମେ ୩୧ ପ୍ରଯ୍ୟନ୍ତ ଆର୍ଯ୍ୟପଲ୍ଲୀ ରୁ ପ୍ରୟାଗୀ ଯାଏଁ ୨୦ କିଲୋମିଟର ନୋ ଫିସିଙ୍ଗ ଜୋନ ଘୋଷଣା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦ଟି ସେଗମେଣ୍ଟ କରାଯାଇଛି । ଚଳିତ ବର୍ଷ ୬ ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ କରିବେ ବୋଲି ଆଶା ରଖିଛି ବନ ବିଭାଗ ।