ଅଲିଭ ରିଡଲେ କଇଁଛଙ୍କ ନୂଆ ଅନ୍ତୁଡ଼ିଶାଳ ଅସ୍ତରଙ୍ଗ ଉପକୂଳ

ପୁରୀ: ଗହିରମଥା ଭଳି ଅଲିଭ ରିଡଲେ କଇଁଛଙ୍କ ଏବେ ଅନ୍ତୁଡ଼ିଶାଳ ପାଲଟିଛି ପୁରୀର ଅସ୍ତରଙ୍ଗ ଉପକୂଳ । ଅନୁକୂଳ ଜଳବାୟୁ ପାଇଁ ହଜାର ହଜାର କଇଁଛି ଦେବୀ ନଦୀ ମୁହାଣ ମୁହାଁ । ଅଣ୍ଡାଦାନ ସରି ଏବେ କଇଁଛ ଶବକଙ୍କ ଜନ୍ମ ସମୟ । ଚଳିତବର୍ଷ ରେକର୍ଡ ସଂଖ୍ୟାରେ ଅଣ୍ଡା ଦେଇଥିବା ବେଳେ ଏଯାଏଁ ହାଚେରୀରୁ ୨୧ ହଜାର କଇଁଛ ଶାବକ ସମୁଦ୍ର ମଧ୍ୟକୁ ଗଲେଣି ।

ଏବେ ପ୍ରାକୃତିକ ବାସସ୍ଥଳୀ ମୁହାଁ ଅଲିଭ ରିଡେଲ ଶାବକ । ଅଣ୍ଡାରୁ ନୂଆ ଜୀବନ ପାଇବା ପରେ ନୀଳ ସମୁଦ୍ରରେ ନିଜକୁ ହଜାଇ ହେଉଛନ୍ତି । ସେତେ ଯେପରି ସାଗରର ଅଥଳ ଜଳାରାଶି ଏମାନଙ୍କୁ ଆଲିଙ୍ଗନ କରିବାକୁ ଚାହିଁ ବସିଛି । ହଜାର ହଜାର ସଂଖ୍ୟାରେ ଅଲିଭ ରିଡେଲ କଇଁଛ ଛୁଆ ସମୁଦ୍ରକୁ ଫେରିଯାଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଦେବୀ ନଦୀ ମୁହାଣଠାରୁ ରାମଚଣ୍ଡୀ ମୁହାଁଣରେ । ଚଳିତବର୍ଷ ଅଲିଭ ରିଡେଲଙ୍କ ଅଣ୍ଡାଦାନ ବଢିଥିବା ପରିବେଶ ପ୍ରେମୀ କହିଛନ୍ତି ।

ଅନୁକୂଳ ଜଳବାୟୁ ପାଇଁ ଗତ କିଛିବର୍ଷ ହେଲା ଦେବୀ ନଦୀ ମୁହାଁଣ କଇଁଛଙ୍କ ଅନ୍ତୁଡ଼ିଶାଳ ପାଲଟିଛି । କଇଁଛଙ୍କ ଆଗମନ ବଢୁଥିବାରୁ କୋଣାର୍କ ଉପକୂଳରେ ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଜାରି କରାଯାଇଛି । ଅଲିଭ ରିଡଲେ କଇଁଛ ଅଣ୍ଡା ସୁରକ୍ଷିତ ଫୁଟାଇବାକୁ ୮ଟି ହାଚେରୀ ନିର୍ମାଣ କରାଯାଇଛି । ୬୨୦ଟି ବସାରୁ ୭୦ ହଜାର ଅଣ୍ଡା ସଂଗ୍ରହ କରାଯାଇଥିବା ବେଳେ ୨୧ ହାଜର କଇଁଛ ଶାବକଙ୍କୁ ସମୁଦ୍ରକୁ ଛଡ଼ାଗଲାଣି ।

ଚଳିତବର୍ଷ ଅସ୍ତରଙ୍ଗ ଉପକୂଳରେ ରେକର୍ଡ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଛନ୍ତି । ପ୍ରାକୃତିକ ଓ କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୫ ଦିନ ପରେ ସୁରକ୍ଷିତ ଭାବେ ଛୁଆ ସମୁଦ୍ରକୁ ଯାଇଛନ୍ତି ।